ବଲାଙ୍ଗିରରେ କାଲିଠୁ ଆରମ୍ଭ ହେବ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ

ବଲାଙ୍ଗିର,ଏନ୍ଏନ୍ଏସ୍: ସୋମବାର ଠାରୁ ବଲାଙ୍ଗିରରେ ୧୮ ରୁ ୪୪ ବର୍ଷ ବୟସ ବ୍ୟକ୍ତିଙ୍କ କରୋନା ଟିକାକରଣ ଆରମ୍ଭ ହେବ। ରବିବାର ସନ୍ଧ୍ୟାରୁ କୋୱିନ ଆପରେ ସ୍ଲଟ ବୁକିଂ ଆରମ୍ଭ ହୋଇଯାଇଥିବା ସ୍ଥଳେ କେବଳ ସ୍ଲଟଧାରୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ରହିଛି। ଆଖପାଖ ସମସ୍ତ ଜିଲ୍ଲାରେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ଟିକାକରଣ ଆରମ୍ଭ ହୋଇସାରିଥିବା ବେଳେ ବଲାଙ୍ଗିର ଏହା ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ସହରର ରାଜେନ୍ଦ୍ର କଲେଜ, ଟଉନ୍ ହାଇସ୍କୁଲ, କଦମପଡା ସରସ୍ୱତୀ ଶିଶୁ ମନ୍ଦିର ଓ ଜିଆଇଟିଏମ୍ କଲେଜ ଇତ୍ୟାଦି ୪ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ। ପ୍ରତିଦିନ ୧୦ଟି ପର୍ଯ୍ୟାୟରେ ସମୁଦାୟ ୨୦୦୦ ଟିକା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ୪ଟି କେନ୍ଦ୍ର ପରିଦର୍ଶନ କରାଯାଇ କେନ୍ଦ୍ରମାନଙ୍କର ପ୍ରସ୍ତୁତି ତଦାରଖ କରାଯାଇଛି। ସ୍ଲଟ ବୁକିଂ କରି ଟିକାକରଣ କେନ୍ଦ୍ରକୁ ଆସିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛିା ସହଜ ଟିକାକରଣ ପାଇଁ କେନ୍ଦ୍ରମାନଙ୍କରେ ଶିକ୍ଷକ, ଏନସିସି ଓ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ପୌରଅଧିକାରୀ ବିପିନ ଦୀପ, ସୁଦର୍ଶନ ସାଏ, ସିଡିଏମଓ ଡ. ଭିମ ସାହୁ, ଏଡିଏମଓ ଡ. ଦିବ୍ୟକିଶୋର ପତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ। ତେବେ ଜିଲ୍ଲାରେ ଏବେ କେବଳ ୬୦୦୦ ଟିକା ମହଜୁଦ ଥିବା ବେଳେ ସାନି ଟିକା ଯୋଗାଣ ବାଧାପ୍ରାପ୍ତ ହେଲେ ଟିକାକରଣ ବନ୍ଦ ହେବା ଆଶଙ୍କା ରହିଛି।