କାଲି ଠାରୁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଆଧାରରେ ଖୋଲିବ ବଜାର ଓ ମଲ୍

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ସରକାର ଗତ ଏପ୍ରିଲ ୧୯ ତାରିଖରୁ ଜାରି କରିଥିବା ଲକ୍‌‌ଡାଉନ୍‌ ବଳବତ୍ତର ରହିଲେ ମଧ୍ୟ ଏଥିରେ କେତେକ କୋହଳ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, ଜୁନ୍ ୭ ତାରିଖରୁ କଣ୍ଟେନମେଣ୍ଟ ଜୋନ୍ ବାହାରେ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯୁଗ୍ମ-ଅଯୁଗ୍ମ ଗାଇଡ଼ଲାଇନ୍ ଅନୁସାରେ ବଜାର ଓ ମଲ୍ଗୁଡ଼ିକ ଖୋଲାରହିବ।

ଦିଲ୍ଲୀ ମେଟ୍ରୋ ସେବା ମଧ୍ୟ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ। ଘରୋଇ କାର୍ଯ୍ୟାଳୟଗୁଡ଼ିକ ୫୦ପ୍ରତିଶତ କର୍ମଚାରୀରେ ଚାଲିବ। ଗ୍ରୁପ୍-ଏ ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ଶତ ପ୍ରତିଶତ କାର୍ଯ୍ୟ କରିବାକୁ ଅନୁମତି ମିଳିବ। ଗ୍ରୁପ-ବିରେ ୫୦ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ତାଙ୍କ ସରକାର ସମ୍ଭାବ୍ୟ କୋଭିଡ୍-୧୯ ତୃତୀୟ ଲହର ସଂକ୍ରମଣ ଲାଗି ପ୍ରସ୍ତୁତ ହୋଇଗଲେଣି।

ଏହି ଲହରରେ ଅଧିକ ସଂଖ୍ୟାରେ ପିଲାମାନେ ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ଆମେ ସେମାନଙ୍କ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। କେବଳ ସେତିକି ନୁହେଁ, ଆଗାମୀ ଲହରକୁ ନଜରରେ ରଖି ୪୨୦ ଟନ ଅକ୍ସିଜେନ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଉଛି।