ନୂଆଦିଲ୍ଲୀ,ଏଜେନ୍ସି: ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର୍ ଆକାଉଣ୍ଟରେ ବ୍ଲୁ-ଟିକ୍ ପୁନଃ ସଂସ୍ଥାପିତ ହୋଇଛି। କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ୱିଟର୍ ନିଜର ଭୁଲ୍ ସଂଶୋଧନ କରି ଏଭଳି ପଦକ୍ଷେପ ନେଇଛି। ଶନିବାର ସକାଳୁ ବ୍ଲୁ-ଟିକ୍ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମେ ଉପରାଷ୍ଟ୍ରପତି ନାଇଡ଼ୁଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଯାଇଥିଲା। ଏହାର କିଛି ସମୟ ପରେ ଆର୍ଏସ୍ଏସ୍ ମୁଖ୍ୟ ଭାଗବତ, ଆର୍ଏସ୍ଏସ୍ ନେତା କୃଷ୍ଣ ଗୋପାଳଙ୍କ ସମେତ ଅନ୍ୟମାନଙ୍କ ଟ୍ୱିଟର୍ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟିଯିବା ଖବର ମିଳିଥିଲା।
ଏଥିନେଇ ବିବାଦ ବଢ଼ିବାରୁ ଉପରାଷ୍ଟ୍ରପତିଙ୍କ ଟ୍ୱିଟର୍ ଆକାଉଣ୍ଟରେ ବ୍ଲୁ-ଟିକ୍ ପୁନଃ ସଂସ୍ଥାପିତ ହୋଇଥିଲା। କିନ୍ତୁ ଭାଗବତଙ୍କ ଆକାଉଣ୍ଟରେ ବ୍ଲୁ-ଟିକ୍ କେତେ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନଥିଲା। ଏବେ ଟ୍ୱିଟର୍ ନିଜର ଭୁଲ୍ ସଂଶୋଧନ କରିଛି। ଉଲ୍ଲେଖଯୋଗ୍ୟ, ଟ୍ୱିଟର୍ରୁ ବ୍ଲୁ-ଟିକ୍ ହଟାଇବା ଅର୍ଥ ଟ୍ୱିଟର୍ ସେହି ଆକାଉଣ୍ଟକୁ ଯାଞ୍ଚ କରିନାହିଁ। ଏହି ଘଟଣା ପରେ କେନ୍ଦ୍ର ସରକାର ମେ’ ୨୬ ତାରିଖରୁ ସୋସିଆଲ ମିଡିଆ ପାଇଁ ଲାଗୁ କରିଥିବା ସର୍ତ୍ତ ତୁରନ୍ତ ପାଳନ କରିବାକୁ ଟ୍ୱିଟର୍କୁ କହିଥିଲେ। ଯଦି ଟ୍ୱିଟର୍ ତାହା ନକରେ, ତେବେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ରୋକ୍ଠୋକ୍ ଜଣାଇ ଦେଇଥିଲେ।