କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

କୋରାପୁଟ,ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପୁଲିସ୍ ଦ୍ୱାରା ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରାଯାଇ ୪ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମାଛକୁଣ୍ଡ ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଏସପି ବରୁଣ ଗୁଂଟୁପାଲ୍ଲିଙ୍କୁ ମିଳିଥିଲା। ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଓ ମାଛକୁଣ୍ଡ ଥାନାଧିକାରୀଙ୍କ ନେତୃତ୍ୱରେ ଚୋରା ଗଞ୍ଜେଇ ଧରପଗଡ଼ ପାଇଁ ୨ଟି ଟିମ୍ ଗଠନ କରି ପାଟ୍ରୋଲିଂ କରାଯାଉଥିବାବେଳେ କଂଚଣା ଛକରେ ସାହୁପୁଟ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନରକକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କଣ୍ଟେନରରୁ ୩୧ଟି ଜରି ଅଖାରେ ରଖାଯାଇଥିବା ୮୩୦ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିବା ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣାରେ ପୁଲିସ୍ ଉତ୍ତପ୍ରଦେଶର ସୁନୀଲ୍ କୁମାର୍ ଓ ଅଙ୍କିତ୍ ସିଂହକୁ ଗିରଫ କରିଛି। କଣ୍ଟେନର ଓ ଗଞ୍ଜେଇ ସହ ପୁଲିସ ଗିରଫ ଅଭିଯୁକ୍ତଙ୍କଠାରୁ ୩୫୦୦ ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ଜବତ ଗଞ୍ଜେଇ ଜୟପୁର, ଛତିଶଗଡ଼ ଦେଇ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ଏହି ମାମଲାରେ ସ୍ଥାନୀୟ ଅଞ୍ଚଳର ଜଣେ ଚୋରା ଗଞ୍ଜେଇ ମାଫିଆ ସମ୍ପୃକ୍ତ ଥିବା ପୁଲିସକୁ ସୁରାକ୍ ମିଳିଥିବାବେଳେ ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ସେହିପରି ବୈପାରିଗୁଡ଼ା ଅଂଚଳରୁ ନମ୍ବରବିହୀନ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାଙ୍କୁଡ଼ଙ୍କୁ ମିଳିଥିଲା। ଓଆଇସି ମହାଙ୍କୁଡ଼ଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ଏନ୍ କେ ଟପ୍ପୋ ଓ ପୁଲିସ କର୍ମଚାରୀ ୨୬ନଂ ଜାତୀୟ ରାଜପଥର ଜୟପୁର ଆୟାର୍ ଷ୍ଟ୍ରୀପ୍ ଛକରେ ଗାଡ଼ିକୁ ଅପେକ୍ଷା କରିଥିଲେ। ନମ୍ବରବିହୀନ ଧଳା ରଙ୍ଗର ଏକ ସେଂଟ୍ରୋ କାର୍ ଆସିବା ପରେ ଅଟକାଇ ଯାଞ୍ଚ କରିବା ବେଳକୁ ଗାଡ଼ିରୁ ୧୧ଟି ପ୍ୟାକେଟରେ ୪୧ କିଲୋ ୨୦୦ଗ୍ରାମ୍ ଗଞ୍ଜେଇ ମିଳିଥିଲା। ପୁଲିସ୍ କାର୍ ସହ ୪୧ କିଲୋ ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିବାବେଳେ ଘଟଣାରେ ଉତ୍ତରପ୍ରଦେଶ ଛାପ୍ରୁଲି ଜିଲ୍ଲା ବାଘାପତ୍ ଥାନା ହାଲାପୁର ଗ୍ରାମର ମନୋଜ କୁମାର(୪୦)ଙ୍କୁ ଗିରଫ କରିଛି। ଆଉ ମନୋଜଠାରୁ ମୋବାଇଲ ଫୋନ୍ ଏବଂ ନଗଦ ୧,୫୫୦ଟଙ୍କା ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଜୟପୁର ସଦର ଥାନାର ସବଇନ୍ସପେକ୍ଟର ପି କେ ମହାନ୍ତିଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ଜାତୀୟ ରାଜପଥ ୩୨୬ର ପାତ୍ରପୁଟ ବ୍ରୀଜ୍ ନିକଟରେ ୟୁପି-୩୨ଡିଏଲ୍ ୬୧୨୧ ନମ୍ବର ଟୟୋଟ କାରକୁ ଯାଞ୍ଚ କରି ସେଥିରୁ ୮୩ କିଲୋଗ୍ରାମ୍ (୮ ଲକ୍ଷ ଟଙ୍କାର) ଗଞ୍ଜେଇ ଜବତ କରିଛି। ଘଟଣାରେ ପୁଲିସ୍ ଉତ୍ତରପ୍ରଦେଶ ହାରଦୋଇ ଜିଲ୍ଲାର ଅନିକେତ୍ ତ୍ରିପାଠୀ(୨୫)କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଠାରୁ ପୁଲିସ୍ ଏକ ମୋବାଇଲ୍ ଫୋନ୍ ଓ ୭୫୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।