ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଭଅଁରଖୋଲ ସମବାୟ ସମିତି ଅନ୍ତର୍ଗତ ଚାଷୀଙ୍କ ପିଛା ଛାଡୁନି ଟୋକନ ସମସ୍ୟା। ଫଳରେ ସେମାନେ ଧାନ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଜସ୍ୱ ଉଦ୍ୟମରେ ପୋଖରୀ କିମ୍ବା ଡିଜେଲ ପମ୍ପ ସାହାଯ୍ୟରେ ଜଳସେଚନ କରି ଧାନ ଅମଳ କରିଥିବା ଭଅଁରଖୋଲ ପ୍ୟାକ୍ସର ଚାଷୀଙ୍କୁ ଟୋକନ ମିଳୁନାହିଁ। ଅନ ଲାଇନରେ ଟୋକନ ଆବେଦନ ହୋଇ ପାରୁନଥିବାରୁ ଚାଷୀମାନେ ଅଫଲାଇନ ମାଧ୍ୟମରେ ଜିଲ୍ଲା ଯୋଗାଣ ବିଭାଗ ସହାୟତାରେ ଟୋକନ ପାଇଁ ଆବେଦନ କରିଥିଲେ। ନିଜସ୍ୱ ଉଦ୍ୟମରେ ଧାନ ଅମଳ କରିଥିବା ଚାଷୀଙ୍କ ଧାନ କିଣାଯାଉ ବୋଲି ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ମଧ୍ୟ ବିଧାନସଭାରେ ଦାବି କରିଥିଲେ ମଧ୍ୟ ଏହି ଚାଷୀଙ୍କୁ ଟୋକନ ମିଳିପାରି ନାହିଁ କି ତାଙ୍କ ସମସ୍ୟା ଦୂର ହୋଇ ନାହିଁ।
ଟୋକନ ନ ମିଳିବାରୁ ଦୀର୍ଘ ୧ ମାସ ହେଲାଣି ଚାଷୀ ନିଜର ଧାନ ଅମଳ କରି ଘର ବାରଣ୍ଡା ଓ ଖୋଲା ଆକାଶ ତଳେ ପକାଇ ରଖିଛି। ଫଳରେ ବର୍ଷା, ଗାଈ ଗୋରୁ, ମୂଷା ଆଦିଙ୍କ ହାବୁଡରେ ପଡି ଚାଷୀଙ୍କ ଶହଶହ ବସ୍ତା ଧାନ ବିନା ନଷ୍ଟ ହେଉଛି। ଭଅଁରଖୋଲ ସମବାୟ ସମିିତିରେ ଧାନ କିଣା ଆରମ୍ଭ ହେଲାଣି, ହେଲେ ଚାଷୀଙ୍କୁ ଏଯାଏଁ ଟୋକନ ମିଳିନାହିଁ। ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଏହି ଟୋକନ ସମସ୍ୟାର ସ୍ଥାୟୀ ସମାଧାନ କରି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଲକଡାଉନ ଯୋଗୁଁ ସେମାନେ ନିଜ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନ ନିକଟକୁ ପହଞ୍ଚି ପାରୁନାହାନ୍ତି। ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସମସ୍ୟା ବାବଦରେ ଜଣାଇବାକୁ ଫୋନ କଲେ ସେ ରିସିଭ କରୁନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀଙ୍କ ସମସ୍ତ ସମସ୍ୟା ସମାଧାନ ସହ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯାଉ ବୋଲି ସାଗରପାଲି ଗ୍ରାମର ଚାଷୀ ଭାସ୍କର ପ୍ରଧାନ ଦାବି କରିଛନ୍ତି।