କୋରାପୁଟ,ଏନ୍ଏନ୍ଏସ୍ : ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲା ପ୍ରଶାସନ ତରଫରୁ ଟିକାକରଣ କରାଯାଇ ପଂଚାୟତର ୨,୪୭୯ ଜଣଙ୍କୁ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟକର୍ମୀ ଗାଁକୁ ଗାଁ ବୁଲି ଟିକା ଦେଉଛନ୍ତି। ମେ’୨୯ ତାରିଖ ସୁଦ୍ଧା ମୋଟ ୨,୪୭୯ ଜଣ ବ୍ୟକ୍ତି ଟିକା ନେଇଥିବା କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପବିତ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି। କୋଟିଆ ଓ ଥୁରିଆରେ ୧୫୨୯ଜଣ ପ୍ରଥମ ଡୋଜ୍ ଓ ୯୫୦ଜଣ ଦ୍ୱିତୀୟ ଡୋଜ୍ ନେଇଥିବା ଡା.ପଣ୍ଡା ସୂଚନା ଦେଇଛନ୍ତି। କେବଳ କୋଟିଆରେ ୫୧୬ଜଣ ପ୍ରଥମ ଡୋଜ୍ ନେଇଥିବାବେଳେ ୨୧୫ଜଣ ଦ୍ୱିତୀୟ ଡୋଜ ନେଇଥିବା ସେ ପ୍ରକାଶ କରିଛନ୍ତି। କୋଟିଆ ପଞ୍ଚାୟତର ଆଶା ଓ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି। କୋଟିଆରେ ଏପର୍ଯ୍ୟନ୍ତ ୨,୨୯୬ ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ଥିବାବେଳେ ୧୮ଜଣ ବ୍ୟକ୍ତିଙ୍କ ଲକ୍ଷଣ ଥିବା ଜଣା ପଡ଼ିଥିଲା। ସେଥିମଧ୍ୟରୁ ୧୭ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେହିପରି ଥୁରିଆରେ ଏପର୍ଯ୍ୟନ୍ତ ୨,୩୪୪ ଜଣଙ୍କର ସର୍ଭେ କରାଯାଇ ଥିବାବେଳେ୨୬ଜଣ ବ୍ୟକ୍ତିଙ୍କ ଲକ୍ଷଣ ଥିବା ଜଣା ପଡ଼ିଥିଲା। ସେଥିମଧ୍ୟରୁ ୨୨ଜଣଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।