ଝାରସୁଗୁଡା,ଏନ୍ଏନ୍ଏସ୍: ଅନେକ ସ୍ଥାନରେ କୋଭିଡ ନିୟମ ଆଳରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। କେତେବେଳେ ପୁଲିସ ତ କେତେବେଳେ ପ୍ରଶାସନିକ ଅଧିକାରୀମାନଙ୍କଠାରୁ ସାଧାରଣ ଲୋକେ ଅକାରଣେ ମାଡ ଖାଉଛନ୍ତି। ଆଜି ଝାରସୁଗୁଡ଼ା ବମ୍ବେଛକରେ ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୁଢା ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଛନ୍ତି।
ସେ ଅଭିଯୋଗ କରିଛନ୍ତି କି ଆଜି ପୂର୍ବାହ୍ଣ ୧୧ଟାରେ ନିଜ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଞ୍ଚି ତାଙ୍କୁ ଗାଳି କରିବାସହ ତାଙ୍କ କେଜି ବଟକରା ଓ ମାପଯନ୍ତ୍ର ଜବତ କରୁଥିଲେ। ବୁଢା ତରଭୁଜ ଦୋକାନୀ ଜଣଙ୍କ ଏହାକୁ ବିରୋଧ କରିବାରୁ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ରୁ ୧୨ ଥର ବାଡି ପ୍ରହାର କରିଥିଲେ। ଏହାସହ ପାଖରେ ଥିବା ତାଙ୍କ ନାବାଳକ ପୁଅକୁ ମଧ୍ୟ ଅତିରିକ୍ତ ତହସିଲଦାର ମାଡ ମାରିଥିବା ଦୋକାନୀ ଜଣକ ଅଭିଯୋଗ କରିଛନ୍ତି।