ରାୟଗଡା,ଏନ୍ଏନ୍ଏସ୍: କୋଭିଡ ସୁରକ୍ଷା ନିୟମ ପାଳନ କରି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡିଆରେ ଗତ କାଲିଠାରୁ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ଆମ୍ବ ମହୋତ୍ସବ ‘ଗାଁ ଆମ୍ବ ପସରା’। ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ଥିବା ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦିତ ଆମ୍ବର ବଜାରୀକରଣ ବ୍ୟବସ୍ଥା ଏବଂ ଦଲାଲର ଠକାମୀରୁ ବଞ୍ଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ଏହି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।
ଗାଁ ଆମ୍ବ ପସରା ମହୋତ୍ସବରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହୀତ ସ୍ଥାନୀୟ କାଶୀପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ ସହ ଅନ୍ୟ ଅଞ୍ଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବାର ପ୍ରୟାସ କରାଯାଇଛି। ରାୟଗଡ ଜିଲ୍ଲାରେ ବର୍ତ୍ତମାନ ଆମ୍ବଚାଷକୁ ଚାଷୀମାନେ ଅର୍ଥକାରୀ ଫସଲ ଭାବେ ବାଛି ନେଇଥିବା ବେଳେ ପ୍ରଶାସନର ସହାୟତାରେ ଚାଷୀ ଉତ୍ପାଦିତ ଆମ୍ବକୁ ବିକ୍ରି କରି ଭଲ ରୋଜଗାର କରିପାରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଆମ୍ବ ବଜାର ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଚାଷୀଭାଇମାନେ ଜଣାଇଛନ୍ତି।
ଏହି ପରିପ୍ରେକ୍ଷୀରେ ଆମ୍ବ ମହୋତ୍ସବରେ ଆମ୍ରପାଲି, ଦିସାରୀ, ବାଇଗଣପଲ୍ଳୀ, ଆଖୁରସ, ହେମସାଗର, ଲେଙ୍ଗଡା, ମଲ୍ଲିକା ସମେତ ଆହୁରି ଅନେକ କିସମର ସୁଆଦିଆ ଆମ୍ବଗୁଡିକ ପ୍ରଦର୍ଶିତ ହେବା ସହ ସୁଲଭ ମୂଲ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ରାୟଗଡା ବଜାରରେ ଛୋଟ ମୋଟ ଆମ୍ବ ବ୍ୟବସାୟୀମାନେ ଆମ୍ବ କେଜି ପିଛା ୫୦ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ବେଳେ ଗାଁ ଆମ୍ବ ପସରାରେ ୩୦ ଟଙ୍କାରୁ ୫୦ ଟଙ୍କା ମଧ୍ୟରେ ବିଭିନ୍ନ କିସମର ସୁଆଦିଆ ଆମ୍ବ ମିଳୁଥିବାରୁ ଗ୍ରାହକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ଏହି ଆମ୍ବ ପସରାରେ ମୁନିଗୁଡା, କଲ୍ୟାଣସିଂହପୁର ଓ କାଶୀପୁର ବ୍ଲକର ଉତ୍ପାଦକ ଗୋଷ୍ଠୀ, ଉଦ୍ୟାନ କୃଷି ବିଭାଗ, ମିଶନ ଶକ୍ତି, ରାୟଗଡ଼ା, ଓଡିଶା ଜୀବିକା ମିଶନ ଓ ଓରମାସ ଅଧୀନରେ ଥିବା ବିଷମକଟକ ଓ ମୁନିଗୁଡାର ଡଙ୍ଗରିଆ ଚାଷୀଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଷ୍ଟଲଗୁଡିକରେ ଆମ୍ବ ପ୍ରଦର୍ଶିତ ସହ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲାଯାଇଛି।
ପ୍ରଥମ ଦିନରେ ସମସ୍ତ ଉତ୍ପାଦକ ଗୋଷ୍ଠୀ ଓ କୃଷକଙ୍କ ପକ୍ଷରୁ ୭୮ କ୍ୱିଣ୍ଟାଲ ଆମ୍ବ ଅଣାଯାଇଥିବା ବେଳେ ୨୫.୭୫ କ୍ୱିଣ୍ଟାଲ ଆମ୍ବ ବିକ୍ରି କରାଯାଇ ୧ ଲକ୍ଷ ତିନି ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ, ଓରମାସର ସହାୟକ ନିର୍ଦ୍ଦେଶକ ମନୋଜ ପାତ୍ର, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଶାସନ ପ୍ରହରାଜ, ମିଶନ ଶକ୍ତିର ନିରଞ୍ଜନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଯୋଗ ଦେଇଥିଲେ।