ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଲୋଇସିଂହାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୯ବର୍ଷୀୟା ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ଲାଗି ବଲାଙ୍ଗିର ବଡ଼ ମେଡିକାଲକୁ ପଠାଇବା ସହ ସ୍ୱାମୀ କିଶୋରଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ପୁଲିସ କହିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲୋଇସିଂହା ସେମେଲମୁଣ୍ଡା ଗାଁର ନାରାୟଣ ବେହେରାଙ୍କ ଝିଅ ଓ ସକମା ଗାଁର କିଶୋର ନାମକ ଯୁବକଙ୍କ ସହ ପ୍ରେମ ବିବାହ କରିଥିଲେ। ଉଭୟ ପରିବାର ବିବାହରେ ସହମତି ନ ଥିବାରୁ ସେ ଦୁହେଁ ଲୋଇସିଂହାସ୍ଥିତ ମଣ୍ଟୁ କଲୋନୀରେ ଭଡ଼ା ଘରେ ରହୁଥିଲେ। ବୁଧବାର ସକାଳୁ କିଶୋର ଥାନାକୁ ଆସି ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ। ପରେ ପୁଲିସ, ସାଇଣ୍ଟିଫିକ ଦଳ ସହିତ ଘଟଣାସ୍ଥଳରେ ପହଂଚି ଏକ ସୁସାଇଡ ନୋଟ ଜବତ କରିଛି । ତେବେ ଯୁବତୀଙ୍କ ସ୍ୱାମୀ କିଶୋରଙ୍କୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।