ଆଇସିସି ଦିନିକିଆ ରାଙ୍କିଙ୍ଗ: ଦୁଇ ନମ୍ବରରେ ଅପରିବର୍ତ୍ତିତ କୋହଲି

ନୂଆଦିଲ୍ଲୀ,ଏଜେନ୍ସି: ଆଇସିସି ପକ୍ଷରୁ ବୁଧବାର ପୁରୁଷ ଦିନିକିଆ ରାଙ୍କିଙ୍ଗ ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଦୁଇ ନମ୍ବର ସ୍ଥାନରେ ଅପରିବର୍ତ୍ତିତ ରହିଥିବା ବେଳେ ନବନିଯୁକ୍ତ ଶ୍ରୀଲଙ୍କା ଅଧିନାୟକ କୁଶଲ ପେରେରା ଏବଂ ଦୁଷ୍ମନ୍ତ ଚମିରା ଉପରକୁ ଉଠିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ୮୬୫ ପଏଣ୍ଟ ସହିତ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ୮୫୭ ପଏଣ୍ଟ ସହିତ ବିରାଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଭାରତୀୟ ଉପ ଅଧିନାୟକ ରୋହିତ ୮୨୫ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ସମସ୍ତ ଖେଳାଳି ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ଏବଂ ଶାଇ ହୋପ୍ ଟପ୍ ଟେନ୍ ମଧ୍ୟରେ ପ୍ରବେଶ କରିଛନ୍ତି। ରସ୍ ଟେଲର, ଆରୋନ ଫିଞ୍ଚ, ଜନି ବେୟାରଷ୍ଟୋ, ଫାଖର ଜମାନ୍ ୪ର୍ଥରୁ ୭ମ ସ୍ଥାନରେ ରହିଥିବା ବେଳେ ଡେଭିଡ୍ ୱାର୍ଣ୍ଣର ୯ମ ସ୍ଥାନରେ ରହିଛନ୍ତି। ପୂର୍ବତନ ସାଉଥ୍ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ୭୭୮ ପଏଣ୍ଟ ସହିତ ୮ମ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଓପ୍ନର ଶାଇ ହୋପ୍ ୧୦ମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଡୁପ୍ଲେସିସ୍ ଏବଂ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଶାଇ ହୋପ୍ ଟପ୍ ଟେନ୍‌ରେ ପ୍ରବେଶ କରିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍ ହାରିଥିଲେ ହେଁ ଅନ୍ତିମ ମ୍ୟାଚ୍‌ରେ କୁଶଲ ଶତକ ହାସଲ କରିଥିଲେ । ଷଷ୍ଠ ଦିନିକିଆ ଶତକ ହାସଲ କରିଥିବା ପେରେରା ୧୩ ସ୍ଥାନ ଉପରକୁ ଉଠି ୪୨ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂ ବିଭାଗରେ ଟପ୍‌ଟେନ୍‌ରେ କୌଣସି ପରିବର୍ତ୍ତନ ଘଟିନଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ପୂର୍ବବତ୍ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ବାଂଲାଦେଶ ବିପକ୍ଷ ଅନ୍ତିମ ଦିନିକିଆରେ ୫ ୱିକେଟ୍ ଅକ୍ତିଆର କରିଥିବା ଚମିରା ୨୭ ସ୍ଥାନ ଉପରକୁ ଉଠିଛନ୍ତି। ୧୬ ରନ୍ ବ୍ୟୟରେ ୫ ୱିକେଟ୍ ନେଇଥିବା ଚମିରା କ୍ୟାରିୟର ଶ୍ରେଷ୍ଠ ୩୩ ତମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟତମ ଶ୍ରୀଲଙ୍କାନ କ୍ରିକେଟର ଧନଞ୍ଜୟ ଡି ସିଲ୍‌ଭାଙ୍କ ରାଙ୍କିଙ୍ଗରେ ମଧ୍ୟ ଉନ୍ନତି ଘଟିଛି। ବ୍ୟାଟିଂରେ ୧୦ ସ୍ଥାନ ଉପରକୁ ଉଠି ଧନଞ୍ଜୟ ୮୫ତମ ସ୍ଥାନରେ ପହଞ୍ଚିଥିବା ବେଳେ ବୋଲିଂ ୨ସ୍ଥାନ ଉପରକୁ ଉଠି ୭୯ରେ ପହଞ୍ଚିଛନ୍ତି। ସେହିପରି ଅଲରାଉଣ୍ଡରଙ୍କ ମଧ୍ୟରେ ୭ଟି ସ୍ଥାନର ଉନ୍ନତି ସହିତ ୨୪ ତମ ସ୍ଥାନରେ ରହିଛନ୍ତି। ଲେଗ୍‌ସ୍ପିନର୍ ୱାନିନ୍ଦୁ ହସରଙ୍ଗା ୯ଟି ସ୍ଥାନ ଉପରକୁ ଉଠି ଯୁଗ୍ମ ୫୧ରେ ରହିଛନ୍ତି।

ନିକଟରେ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ପୂର୍ବତନ ବାଂଲାଦେଶ ଅଧିନାୟକ ସାକିବ୍ ଅଲ ହାସନ୍ ଅଲରାଉଣ୍ଡରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ୩୯୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ସାକିବ୍ ବେନ୍ ଷ୍ଟୋକ୍ସଙ୍କ ଠାରୁ ୧୦୧ ପଏଣ୍ଟ ଆଗରେ ରହିଛନ୍ତି। ଏକମାତ୍ର ଭାରତୀୟ ଭାବରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିିକାରେ ୯ମ ସ୍ଥାନରେ ଅଛନ୍ତି।