ମଡେଲ୍ ଟେନାନ୍ସୀ ଆକ୍ଟକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ,ଏଜେନ୍ସି: ଘର ଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସୀ ଆଇନ ଲାଗୁ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ମଡେଲ୍ ଟେନାନ୍ସୀ ଆକ୍ଟକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଲାଗି ଜାରି କରାଯାଇଛି। ଯାହାଫଳରେ ସେମାନେ ବର୍ତ୍ତମାନର ଆଇନ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ ସଂଶୋଧନ କରିପାରିବେ। ଏହାଫଳରେ ସାରା ଦେଶରେ ଭଡ଼ାରେ ଘର ଦିଆଯିବା ସଂକ୍ରାନ୍ତ ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ, ଯାହାଫଳରେ ଆଗାମୀ ଦିନରେ ବିକାଶର ମାର୍ଗ ପ୍ରଶସ୍ତ ହେବ।

ମଡେଲ ଟେନାନ୍ସୀ ଆଇନର ଉଦ୍ଦେଶ୍ୟ ହେଉଛି ଦେଶରେ ଘର ଭଡ଼ା ଦିଆଯିବା ମାଧ୍ୟମରେ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଏବଂ ସମାବେଶୀ ଢାଞ୍ଚା ପ୍ରସ୍ତୁତ କରିବା। ଏହାଫଳରେ ପ୍ରତ୍ୟେକ ଆୟ ବର୍ଗର ଲୋକମାନଙ୍କ ପାଇଁ ଭଡ଼ା ଘର ଉପଲବ୍ଧ ହୋଇପାରିବ ଓ ବେଘର ହେବାର ସମସ୍ୟା ସମାଧାନ ହୋଇପାରିବ। ମଡେଲ ଟେନାନ୍ସୀ ଆଇନ ଫଳରେ ଘର ଭଡ଼ା ଦେବା ପ୍ରକ୍ରିୟା ଧୀରେ ଧୀରେ ଔପଚାରିକ ବଜାରରେ ପରିବର୍ତ୍ତିତ ହୋଇ ଏହାକୁ ସଂସ୍ଥାଗତ ରୂପ ଦିଆଯାଇପାରିବ। ମଡେଲ ଟେନାନ୍ସୀ ଆଇନ ଲାଗୁ ହେବା ଫଳରେ ଖାଲି ପଡ଼ିଥିବା ଘରକୁ ଭଡ଼ାରେ ଦେବା ଲାଗି ଖୋଲା ଯାଇପାରିବ। ଏହା ଜରିଆରେ ଭଡ଼ା ଦେବାର ବଜାରକୁ ବ୍ୟବସାୟ ରୂପରେ ବିକଶିତ କରିବାରେ ଘରୋଇ ଭାଗୀଦାରୀ ବଢ଼ିବ, ଯାହାଫଳରେ ଆବାସିକ ବାସଗୃହର ବ୍ୟାପକ ଅଭାବକୁ ଦୂର କରାଯାଇପାରିବ। ଏଣିକି ଆଉ ଭଡ଼ାଟିଆଙ୍କ ଦ୍ୱାରା ଘରମାଲିକ କିମ୍ବା ଘରମାଲିକଙ୍କ ଦ୍ୱାରା ଭଡ଼ାଟିଆ ହଇରାଣ ହେବେ ନାହିଁ। କେହି କାହା ଉପରେ ଉତ୍ପୀଡ଼ନର ଆରୋପ ଲଗାଇ ପାରିବେ ନାହିଁ।

ଯଦି କାହାର କାହାରି ଉପରେ ଆରୋପ ରହିଛି, ତା’ହେଲେ ଉଭୟ ପକ୍ଷ ଅଥରିଟୀ ନିକଟକୁ ଯାଇପାରିବେ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଦାଲତ୍ ମଧ୍ୟ ଗଢ଼ିପାରିବେ। ଫଳରେ ଘର, ଘରଭଡ଼ା ବ୍ୟବସାୟ ପ୍ରପର୍ଟୀ ବଜାରର ଅଂଶ ହୋଇପାରିବ। ଉଭୟ ପକ୍ଷ ଏହି ନୂଆ ଆଇନ୍ ଯୋଗୁଁ ଉପକୃତ ହେବେ। ଭଡାଘର ପାଇଁ ଖାଲିଘରର ଉପଲବ୍‌ଧତାକୁ ସହଜ କରିବ। ଗୃହ ଅଭାବକୁ ଦୂର କରିବା ପାଇଁ ଏହା ଏକ ବ୍ୟବସାୟିକ ମଡେଲ ଭାବରେ ଉଭାହେବ ବୋଲି ଆଶା କରାଯାଉଛି। ଏଣିକି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭଡ଼ା ସମ୍ବନ୍ଧୀୟ ନିୟମକୁ ପରିବର୍ତ୍ତନ କରିବାରେ ସକ୍ଷମ ହେବେ। କେନ୍ଦ୍ର ରାଜ୍ୟ ସରକାରଙ୍କୁ ମଧ୍ୟ ନୂତନ ନିୟମ ଲାଗୁ କରିବାକୁ ଅନୁମତି ଦେଇଛି। ଭଡାଘରର ବ୍ୟବସ୍ଥା ମଧ୍ୟ ମାର୍କେଟର ରୂପ ପାଇବ।

ଆବାସିକ କ୍ଷେତ୍ରରେ ଅଗିୀମ ସୁରକ୍ଷା ଜମା ସର୍ବାଧିକ ଦୁଇ ମାସର ଭଡା ଏବଂ ଅଣ-ଆବାସିକ ପାଇଁ ସର୍ବାଧିକ ୬ ମାସର ଭଡ଼ା ଧାର୍ଯ୍ୟ କରାଯାଇଛି। ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହେଲାପରେ ମାସିକ ଭଡ଼ା, ଅବଧି ତଥା ଘରର ଛୋଟ ମୋଟ ମରାମତି କାହା ଅଧୀନରେ ରହିବ ସେ ନେଇ ସମସ୍ତ ତଥ୍ୟ ଅଥରିଟୀ ନିକଟରେ ଦାଖଲ କରିବାକୁ ପଡ଼ିବ। ସମ୍ଭାବ୍ୟ ବିବାଦ କ୍ଷେତ୍ରରେ ଉଭୟ ପକ୍ଷ ଅଥରିଟୀ ନିକଟରେ ଅଭିଯୋଗ କରିପାରିବେ। ରିଟେଲ୍ କ୍ଷେତ୍ରର ବିକାଶ ହେବା ସହିତ କେହି ଅକସ୍ମାତ୍ ବେଘର ହେବେନାହିଁ। ଖାଲି ପଡ଼ିଥିବା ଘର ମଧ୍ୟ ବ୍ୟବସାୟରେ ଲାଗିପାରିବ।

ଆଇନ୍ ଲାଗୁ ହେବା ପରେ ଭଡ଼ାଟିଆଙ୍କ ସହିତ ଘରମାଲିକଙ୍କୁ ମଧ୍ୟ ଅନେକ ପ୍ରକାରର ଅଧିକାର ମିଳିବ। ସମ୍ଭାବ୍ୟ ବିବାଦ କ୍ଷେତ୍ରରେ ଉଭୟଙ୍କୁ ସମାଧାନ ପାଇଁ ଆଇନଗତ ଅଧିକାର ମିଳିବ। କୌଣସି ଭଡ଼ାଟିଆ ପ୍ରପର୍ଟି ଉପରେ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ କି କୌଣସି ଘରମାଲିକ ଅଚାନକ୍ ଭଡ଼ାଟିଆଙ୍କୁ ବେଘର କରିପାରିବ ନାହିଁ। ଘରମାଲିକଙ୍କୁ ଘର ଖାଲିକରିବା ପାଇଁ ଉପଯୁକ୍ତ ଅବଧିର ନୋଟିସ୍ ଦେବାକୁ ପଡ଼ିବ। ଏହାବ୍ୟତୀତ ଭଡ଼ାଟିଆଙ୍କ ପାଇଁ ମଧ୍ୟ ଘରର ଦେଖାଶୁଣା କରିବା ପ୍ରମୁଖ କର୍ତ୍ତବ୍ୟ ରହିବ।