ପାଟଣାଗଡ଼,ଏନ୍ଏନ୍ଏସ୍: କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାରୁ ବନ୍ଧୁ ବାନ୍ଧବ କେହି ପାଖ ମାଡ଼ିଲେନି। ଶେଷରେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା ନିଜେ ପିପିଇ କିଟ ପିନ୍ଧି ଶବ ସତ୍କାର କଲେ। ଏଭଳି ଏକ ଦୃଶ୍ୟ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦଲଦଲି ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିବା ରିପୋର୍ଟ ମୁତାବିକ, ଅର୍ଜୁନ କୁମୁଡ଼ିଆ ଗତ ୮ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ କୋଭିଡ ୱାର୍ଡରେ ଅନ୍ୟ ରୋଗୀଙ୍କ ମୃତ୍ୟୁ ଦେଖି ଭୟରେ ସେ ନିଜ ଘର ଦଳଦଲିକୁ ପଲାଇ ଆସିଥିଲେ। ଆଉ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଜଣାଯିବା ପରେ ବନ୍ଧୁ ବାନ୍ଧବ ଶବ ତ୍ସକାର ପାଇଁ ଆସିନଥିଲେ। ସେଥିପାଇଁ ଗ୍ରାମର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ପାଟଣାଗଡ଼ ବିଡିଓଙ୍କୁ ଜଣାଇବା ପରେ ବିଡିଓ ନୀଳମାଧବ ସୁନା ଓ ପାଟଣାଗଡ଼ ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ପାଟଣାଗଡ଼ କୋଭିଡ ଦାୟିତ୍ୱରେ ଥିବା ଅଧିକାରୀ ମନୋଜ ଆଚାର୍ଯ୍ୟ, ବନେଇମୁଣ୍ଡା ସରପଞ୍ଚ, ସମିତି ସଭ୍ୟ, ଖୁସମଲାଇ ସମିତି ସଭ୍ୟ ଜୟନ୍ତ କୁମ୍ଭାରଙ୍କ ଉପସ୍ଥିତିରେ ପିପିଇ କିଟ ପିନ୍ଧି ମୃତ ଅର୍ଜୁନଙ୍କ ଶବ ସତ୍କାର କରିଥିଲେ। ପରେ ବିଡିଓ ଉକ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ।