କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଓ ରାଜପଥ ଅବରୋଧ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନାଇଡୁପେଟା ଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏନେଇ ଗ୍ରାମବାସୀମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥ ଉପରେ ଯାନବାହନ ଚଳାଚଳ ଠପ ହୋଇଛି। ଘଟଣାରୁ ପ୍ରକାଶ ଯେ, ନାଇଡୁପେଟା ଗ୍ରାମର ଜି. ତ୍ରିବେଣୀ ନାମକ ଜଣେ ମହିଳା କରୋନା ଆକ୍ରାନ୍ତ ହୋଇ ଗତକାଲି ଜେକେପୁର କୋଭିଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳେ ତାଙ୍କର ଚିକିତ୍ସା ଚାଲିଥିଲା। ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ମିଳିବା ପରେ ଗାଁରେ ଦୁଃଖର ଛାୟା ଖେଳି ଯାଇଥିଲା।

ଜେକେପୁର କୋଭିଡ଼ ମେଡିକାଲରେ ରୋଗୀଙ୍କ ଠିକ ଚିକିତ୍ସା ହେଉନଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ଉତ୍ତେଜନା କରିବା ସହ ରାଜପଥ ଅବରୋଧ କରିଛନ୍ତି। ଚିକିତ୍ସାରେ ଅବହେଳା ସହ ଠିକ ସମୟରେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ମଧ୍ୟ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଥିଲା। ଶେଷରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକ ମହିଳାଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହିତ ବଞ୍ଚେଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯିବା ସତ୍ତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପ୍ରକାଶ କରିଥିଲେ। କୋଭିଡ ନିୟମ ମୁତାବକ ତ୍ରିବେଣୀଙ୍କ ଶବ ସତ୍କାର କରାଯିବ ବୋଲି କହିବା ପରେ ରାସ୍ତାରୋକ ହଟିଥିଲା।