ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତକୁ ସାଉଦିଆରବ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଣ୍ଟେନର ପଠାଇଛି। ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଣ୍ଟେନର ପଠାଇବାର ବ୍ୟବସ୍ଥା ମଧ୍ୟ କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଊର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ଓ ୩ଟି ଆଇଏସଓ କଣ୍ଟେନର ଆସୁଅଛି। ଏହି କଣ୍ଟେନର ଜୁନ୍ ୬ରେ ମୁମ୍ବାଇରେ ପହଞ୍ଚିବ। ଏହାସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସଓ କଣ୍ଟେନର ସାଉଦିଆରବରୁ ଆସିବା ନେଇ ସେ ସୂଚନା ଦେଇଛନ୍ତି। ସାଉଦିଆରବର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଉଦିଆରବର ନେତୃତ୍ୱଙ୍କ ମଧ୍ୟରେ ଥିବା
ଘନିଷ୍ଠ ସମ୍ପର୍କର ପ୍ରତିଫଳନ।
ଏହି ୩ କଣ୍ଟେନର ଏବଂ ଆଗାମୀ ଦିନରେ ଆସିବାକୁ ଥିବା ୧୦୦ କଣ୍ଟେନର ୬ ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ପାଖରେ ରହିବ। ସାଉଦି ଆରବର କମ୍ପାନୀ ଲିନ୍ଦେ ଦାମନମ୍ ଠାରୁ ଇଣ୍ଡିଆନ ଅଏଲ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଦେଶ ପାଇଁ ଆମଦାନୀ କରିବ। ସୂଚନାଯୋଗ୍ୟ ଯେ, ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ କୋଭିଡ ବିରୋଧୀ ଲଢ଼େଇରେ ନିରନ୍ତର ସହଯୋଗ କରିବା ଉପରେ ପ୍ରିନ୍ସ ଅବୁଦୁଲାଜିଜ୍ ସହ ଆଲୋଚନା କରିଥିଲେ।