ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରି ଦୁଇ ଗିରଫ 

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ସବଷ୍ଟେସନରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀ ଉମେଶ ଚନ୍ଦ୍ର ମହାନ୍ତଙ୍କୁ ଫୋନରେ ଅଶାଳୀନ ବ୍ୟବହାର ଓ ପରେ ବିଦ୍ୟୁତ ଅଫିସକୁ ଯାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ତୁରୁମୁଙ୍ଗା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ତୁରୁମୁଙ୍ଗା ଗ୍ରାମର ସନ୍ତୋଷ ବାରିକଙ୍କ ପୁଅ ମାନସ ବାରିକ(୧୯) ଏବଂ ତା’ ସହଯୋଗୀ ଉଦୟପୂର ଗ୍ରାମର ମନୋଜ ପଣ୍ଡାଙ୍କ ପୁଅ ସୌମ୍ୟରଞ୍ଜନ ପଣ୍ଡା (୨୦)।

ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣ ୪ଟା ସମୟରେ ଜ୍ୟୋତିପୁର ଫିଡ଼ରକୁ ଲାଇନ ଦେବା ପାଇଁ ସଟଡାଉନ ନେଇ କାମ କରୁଥିବା ବେଳେ ବିଦ୍ୟୁତ କର୍ମଚାରୀ ଉମେଶ କୁମାର ମହାନ୍ତଙ୍କୁ ମାନସ ବାରିକ ଲାଇନ କାଇଁ କଟିଛ କହି ଫୋନରେ ଗାଳି ଗୁଲଜ କରିଥିଲେ। ପରେ ସେ ସହଯୋଗୀ ସୌମ୍ୟ ସହ ବିଦ୍ୟୁତ ଅଫିସକୁ ଯାଇ ଉମେଶଙ୍କୁ ମାଡ଼ ମାରିଥିଲେ। ଏନେଇ ଉମେଶ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ଉମେଶଙ୍କ ଅଭିଯୋଗକୁ ଭିତ୍ତି କରି ୫୬/୨୧ରେ ଏକ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।