ମହୁପଦରରେ ବିଏସଏଫ କ୍ୟାମ୍ପ ଉଦଘାଟିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ଅନ୍ତର୍ଗତ ମାଓ ପ୍ରବଣ ମହୁପଦରଠାରେ ଗତକାଲି ବିଏସଏଫ କ୍ୟାମ୍ପର ଉଦଘାଟିତ ହୋଇଯାଇଛି। ମାଓ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ଲାଗି ମହୁପଦର ଠାରେ ବିଏସଏଫ ତରଫରୁ ୧୬୦ ବାଟାଲିୟନ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଏସଏଫର ମାଲକାନଗିିରି ସେକ୍ଟର ହେଡ଼କ୍ୱାଟର ଡିଆଇଜି ସଞ୍ଜୟ କୁମାର ସିଂ, ସମ୍ମାନିତ ଅତିଥି ଭାବେ ମାଲକାନଗିରି ଏସପି ଋିଷିକେଶ ଡି ଖିଲାରି ଏବଂ ମହୁପଦର ସରପଞ୍ଚ ଶିବ ଦୁରିଆ, କମାରପାଲ୍ଲି ସରପଞ୍ଚ ବସନ୍ତ ମାଢୀ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ମହୁପଦରରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଉଥିବା ବେଳେ ଏଠାରେ ଏକ ବିଏସଏଫ କ୍ୟାମ୍ପ ପାଇଁ ଦାବି ହୋଇଆସୁଥିଲା। ମହୁପଦର ଏକ ପ୍ରକାର ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଦୀର୍ଘ ବର୍ଷ ଧରି ମାଓବାଦୀଙ୍କ ଉପଦ୍ରବ ଲାଗି ରହୁଥିଲା। ଏହା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମ ହୋଇଥିବାରୁ ଛତିଶଗଡ଼ର ଦରଭା ଡିଭିଜନରେ ହିଂସା ଗତିବିଧି ଉପରେ ନଜର ଜାରି ରହିଥିଲା। ଦୀର୍ଘ ବର୍ଷ ଧରି ମାଓବାଦୀଙ୍କ ସହ ମୁକାବିଲା କରିବା ଲାଗି ରଣନୀତି ଆରମ୍ଭ ହୋଇଥିଲା।

ପର୍ଯ୍ୟାୟକ୍ରମେ ଏକ ଏସଓଜି କ୍ୟାମ୍ପ ସେଠାରେ ପ୍ରଥମ ଥର ଲାଗି ପ୍ରତିଷ୍ଠା ହୋଇଥିଲା। ପରେ ପରେ ସେହି କ୍ୟାମ୍ପ ମଧ୍ୟରେ ଫାଣ୍ଡି ଅବସ୍ଥାପିତ ହୋଇଥିଲା। ଲାଲ ସଂଗଠନକୁ ଝଟକା ଦେବା ଲାଗି ୧୬୦ ବାଟାଲିୟନ ବିଏସଏଫ ପକ୍ଷରୁ ସୁରକ୍ଷା କ୍ୟାମ୍ପ ମହୁପଦର ଠାରେ ସ୍ଥାପିତ ହୋଇଛି। ଆଗାମୀ ଦିନରେ ଲେକଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରି ମାଓ ଗତିବିଧି ହ୍ରାସ ସହ ମାଓ ମୁକାବିଲା ପାଇଁ ଉଦ୍ୟମ କରାଯିବ ବୋଲି ବିଏସଏଫ ତରଫରୁ କୁହାଯାଇଛି। ଏହି ଅବସରରେ ପୁଲିସ ଅଧିକାରୀ ବିଏସଏଫ ଅଧିକାରୀ ଏବଂ ଯବାନମାନେ ଉପସ୍ଥିତ ଥିଲେ।