ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଗୁଣ୍ଠା୍ବେଡା ପଞ୍ଚାୟତର ସିଲେରୁ ନଦୀରେ ଡଙ୍ଗାବୁଡି ଘଟଣାରେ ମୃତକଙ୍କ ପରିବାରକୁ ଦଶାହ କାର୍ଯ୍ୟ କରିବା ପାଇଁ ବିଜେଡି ଦଳ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଓଡିଶାରେ ୟାସ୍ ବାତ୍ୟା ତାଣ୍ଡବ ରଚିଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଦୁଃଖଦ ଡଙ୍ଗାବୁଡି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ୟାସ୍ ପାଇଁ ବ୍ୟସ୍ତ ଥିବା ସତ୍ତ୍ୱେ ଏହି ଡଙ୍ଗା ବୁଡି ଘଟଣାକୁ ମଧ୍ୟ ଗୁରୁତର ସହ ନେଇଛନ୍ତି। ଏହି ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଚିତ୍ରକୋଣ୍ଡା ବିଧାୟକଙ୍କୁ ଘଟଣାସ୍ଥଳକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ସଂପୃକ୍ତ ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ଦଶାହ କାର୍ଯ୍ୟ କରିବା ନିମନ୍ତେ ସମସ୍ତ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ବିଜେଡି ଦଳ ପକ୍ଷରୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମି, ଯୁବ ବିଜେଡି ସଭାପତି ଆଡମା ରାୱା, ଛାତ୍ର ବିଜେଡି ସଭାପତି ତାପସ ରଞ୍ଜନ ନାୟକ ଓ ବିଜେଡିର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସହାୟତା ରାଶି ପାଇବା ପରେ ପରିବାରବର୍ଗ ଓ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଏଥିସହ ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ହୋଇଥିବା ସତ୍ତ୍ୱେ ଏଠାରେ ଦମକଳ କେନ୍ଦ୍ର ନାହିଁ। ତେଣୁ କୌଣସି ଦୁର୍ଘଟଣା ଘଟିଲେ କୁଡୁମୁଲୁଗୁମ୍ମା କିମ୍ବା କୋରୁକୋଣ୍ଡାରୁ ଦମକଳ କେନ୍ଦ୍ରର ସହାୟତା ନେବାକୁ ପଡୁଛି। ଚିତ୍ରକୋଣ୍ଡାରୁ ଏହି ଦୁଇଟି ସ୍ଥାନର ଦୂରତା ୫୦ କିଲୋମିଟରରୁ ଅଧିକ। ଚିତ୍ରକୋଣ୍ଡାରେ ଗୋଟିଏ ଦମକଳ କେନ୍ଦ୍ର ଖୋଲିିବା ପାଇଁ ସାଂସଦଙ୍କ ନିକଟରେ ଲୋକେ ଦାବି କରିଥିଲେ। ଚିତ୍ରକୋଣ୍ଡାରେ ଅଗ୍ରାଧିକାର ଭିତ୍ତିରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାରଙ୍କୁ ଜଣାଇବେ ବୋଲି ସାଂସଦ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।