ଦୁବାଇ,ଏଜେନ୍ସି: ଏସିଆନ୍ ବକ୍ସିଂ ଚାମ୍ପିଅନସିପ୍ର ଫାଇନାଲରେ ପ୍ରବେଶ କରିଛନ୍ତି ୬ଥରର ବିଶ୍ୱ ଚାମ୍ପିଅନ୍ ଏମ୍ସି ମ୍ୟାରୀକମ୍। ସିଧାସଳଖ ସେମିଫାଇନାଲ୍ ମୁକାବିଲା ଖେଳିଥିବା ମ୍ୟାରୀ ୫୧ କିଗ୍ରା ବର୍ଗରେ ମଙ୍ଗୋଲିଆର ଲୁଟ୍ସେଇଖାନ ଆଲ୍ଟାନଷ୍ଟେଗ୍ଙ୍କୁ ପରାସ୍ତ କରି ଷଷ୍ଠ ଥର ପାଇଁ ଫାଇନାଲ୍ରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ୫ଟି ଏସିଆନ୍ ସ୍ୱର୍ଣ୍ଣ ହାସଲ କରି ସାରିଥିବା ମ୍ୟାରୀ ନିଜର ଷଷ୍ଠ ସ୍ୱର୍ଣ୍ଣ ଲଢେଇରେ ଅବତୀର୍ଣ୍ଣ ହେବେ। ୪-୧ର ସ୍ପ୍ଲିଟ୍ ଡିସିସନ୍ରେ ମ୍ୟାରୀ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲେ।
ଅନ୍ୟତମ ଭାରତୀୟ ମୋନିକା ନିଜ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇଛନ୍ତି। ୪୮ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ମୋନିକା ୦-୫ରେ ଆଲୁଆ ବଲ୍କିବେକୋଭାଙ୍କ ନିକଟରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଡ୍ ମାନ୍ୟତା ପାଇଥିବା କାଜାଖ୍ସ୍ତାନର ଆଲୁଆ ଏହି ମ୍ୟାଚ୍ଟିକୁ ଏକପାଖିଆ ଭାବରେ ଜିତି ନେଇଥିଲେ।