ପଶ୍ଚିମବଙ୍ଗରେ ଲକଡାଉନ ଅବଧି ଜୁନ ୧୫କୁ ବୃଦ୍ଧି

କୋଲକାତା,ଏଜେନ୍ସି: ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟରେ ଲକଡାଉନ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି। ମଇ ୩୦ରେ ଲକଡାଉନ ସରୁଥିବା ବେଳେ ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମଣକୁ ଲକ୍ଷ କରି ମମତା ଲକଡାଉନ ଅବଧିକୁ ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୀତିକୁ ସୁଧାରିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ ପ୍ରସ୍ତାବକୁ ରଦ୍ଦ କରିଛନ୍ତି।

ଏଥିସହ ପଶ୍ଚିମବଙ୍ଗ ସରକାର ସ୍ଥଗିତ ଥିବା ଦଶମ ପରୀକ୍ଷା ଅଗଷ୍ଟ ମଝି ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଜୁଲାଇ ଶେଷ ସପ୍ତାହରେ କରିବାକୁ ନିଷ୍ପତ୍ତି ନେଇଥିବା ମମତା ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି କି ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ ପାଇବ।

ତେବେ ଏହି ଲକଡାଉନ ସମୟରେ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ସେହିପରି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ସପିଂ ମଲ, ସିନେମା ହଲ, ଆନ୍ତ ରାଜ୍ୟ ବସ୍ ଚଳାଚଳ, ଜିମ୍, ସେଲୁନ୍, ସୁଇମିଂ ପୁଲ ଓ ମେଟ୍ରୋ ବନ୍ଦ ରହିବ। ସେହିପରି ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଗୁଡ଼ିକ ଦିନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ମିଷ୍ଠନ ଭଣ୍ଡାର ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଚା’ ବଗିଚା ଓ ଜୁଟ ମିଲ ଗୁଡ଼ିକ ୫୦ ପ୍ରତିଶତ ଓ ୩୦ ପ୍ରତିଶତ କର୍ମଚାରୀ କ୍ଷମତାରେ ଚାଲିବ।