ନୂଆଦିଲ୍ଲୀ,ଏଜେନ୍ସି: ଭାରତ କରୋନା ମହାମାରୀ ସହ ଲଢ଼େଇ ଜାରି ରଖିଛି। ଏନେଇ ବହୁ ରାଜ୍ୟରେ ଏବେ ବି ଲକଡାଉନ ଜାରି ରହିଛି। ସେହିପରି ଏହି ମହାମାରୀ ସମୟରେ ଡାକ୍ତରଙ୍କ ପରାମର୍ଶ ପାଇଁ ବହୁ ବାଧା ଉପୁଜୁଛି। ଏହାକୁ ଲକ୍ଷ କରି ରକ୍ଷା ମନ୍ତ୍ରାଳୟ ତରଫରୁ ସର୍ବିସେଜ୍ ଇ-ହେଲ୍ଥ ଆସିଷ୍ଟାନ୍ସ ଆଣ୍ଡ ଟେଲି କନସଲଟେସନ ତଥା ‘ସେହତ’ ନାମରେ ଏକ ଓପିଡ଼ି ପୋର୍ଟାଲ ଲଞ୍ଚ ହୋଇଛି। ଏହି ପୋର୍ଟାଲକୁ ଆଜି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି।
ଏହି ସମୟରେ ସେ କହିଛନ୍ତି କି, କରୋନାର ଦ୍ୱିତୀୟ ଲହରି ପ୍ରଥମ ଠାରୁ ବହୁ କ୍ଷତିକାରକ। କିନ୍ତୁ ରକ୍ଷା ମନ୍ତ୍ରାଳୟ ଓ ଏଥି ସହିତ ଜଡ଼ିତ ଥିବା ଅଧିକାରୀ ମାନେ ଏହି କଠିନ ସମୟର ସାମ୍ନା କରିଛନ୍ତି। ଏଥିସହିତ ସେବା ଜାରି ରଖିଛନ୍ତି। ସେହିପରି ଡିଆରଡିଓ ମଧ୍ୟ ନିଜର କ୍ଷମତା ପ୍ରଦର୍ଶନ କରି ଦିଲ୍ଲୀ, ଲଖନଉ, ବାରଣାସି ସହିତ ଅନେକ ଜାଗାରେ କୋଭିଡ ହସ୍ପିଟାଲ ଓ ଅକ୍ସିଜେନ କନସନଟ୍ରେଟର ସ୍ଥାପନ କରିଛି।
ସେହିପରି ହାଇଦ୍ରାବାଦ ସ୍ଥିତ ଡ. ରେଡ୍ଡି ଲ୍ୟାବର ସାହାଯ୍ୟରେ ଡିଆରଡିଓ କୋଭିଡ ଔଷଧ ଟୁ-ଡିଜିର ଉତ୍ପାଦନ ମଧ୍ୟ କରିଛି। ଆଜି ଉଦଘାଟନ ହୋଇଥିବା ‘ସେହତ’ ପୋର୍ଟାଲ ଶସସ୍ତ୍ର ବଳକୁ ଟେଲି ମେଡ଼ିସିନ ସେବା ଯୋଗାଇବ। ଏହାଦ୍ୱାରା ସ୍ଥଳସେନା, ନୌସେନା, ବାୟୁସେନା ଓ ପୂର୍ବ ସୌନ୍ୟକର୍ମୀ ଶସସ୍ତ୍ର ବଳର ବିଶେଷଜ୍ଞ ଡାକ୍ତରଙ୍କ ସହିତ ଫୋନ ଯୋଗେ ପରାମର୍ଶ କରିପାରିବେ। ଏହା ଦ୍ୱାରା ଅତିକମରେ ୪ କୋଟି ଲୋକ ଉପକୃତ ହେବେ ବୋଲି ମନ୍ତ୍ରାଳୟ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।