ଟ୍ରାକ୍ଟରରୁ ଖସି ଡ୍ରାଇଭର ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର କଲଭଟ ନିକଟରେ ଚଳନ୍ତା ଟ୍ରାକ୍ଟରରୁ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ସାନଯୋବ ଗ୍ରାମର ଦୁବରାଜ ମୁଣ୍ଡାଙ୍କ ପୁଅ ଅଶୋକ ମୁଣ୍ଡା(୨୫) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଅଶୋକ ତାଙ୍କ ଦୁଇ ଭାଇ ସହ ଟ୍ରାକ୍ଟରରେ ରାମପୁର କୁଇଲାତାପଡ଼ାକୁ ଯାଉଥିଲେ। ହେଲେ ଟ୍ରାକ୍ଟରଟି ଦ୍ରୁତ ଗତିରେ ଥିବାରୁ ବ୍ରଜରାଜନଗର କଲଭଟ ନିକଟରେ ବୁଲାଣିରେ ଭାରସାମ୍ୟ ହରାଇଥିଲା। ଫଳରେ ଅଶୋକ ଟ୍ରାକ୍ଟରରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ଭାଇମାନେ ଅଶୋକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ସ୍ଥାନୀୟ ମଣ୍ଡଳିଆ ହସ୍ପିଟାଲକୁ ନେଇଥିଲେ। ପରେ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତାର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ହୋଇଛି।