ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ରେଙ୍ଗାଳବାହାଲ ଛକରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ଫରେଷ୍ଟର ଗାର୍ଡ ଜୁଗେଶ୍ଵର ବୁଡେକ(୧୯)ଙ୍କୁ ଗୁଳିକରି ହତ୍ୟା ଘଟଣାରେ ୨ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବ୍ଲକର ଡୁମେରମୁଣ୍ଡା ଗ୍ରାମର ଜବଦୁ ବଗର୍ତ୍ତି ଓ ରେଙ୍ଗାଳବାହାଲ ଗ୍ରାମର ବନମାଳି ବିଶ୍ୱାଳ। ସଇଁନ୍ତଳା ଡାକ୍ତରଖାନାରେ ଉଭୟଙ୍କ କରୋନା ଟେଷ୍ଟ କରାଯିବା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଉଭୟଙ୍କ ନିକଟରୁ ପୁଲିସ ଏକ ସିଙ୍ଗିଲ ବ୍ୟାରେଲ ବନ୍ଧୁକ ଜବତ କରିଛି।
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ପ୍ରାୟ ୯ଟା ବେଳେ କରମତଲା ବିଟର ଫରେଷ୍ଟର୍ ସୁଧୀର ଜେନାଙ୍କ ସହିତ ମିଶି ଜୁଗେଶ୍ୱର ପାଟ୍ରୋଲିଂ ପାଇଁ ଯାଇଥିଲେ। ରେଙ୍ଗାଳବାହାଲ ଗାଁ ନିକଟରେ ୨-୩ ଜଣ ବ୍ୟକ୍ତି ବନ୍ଧୁକ ଧରି ଜଙ୍ଗଲକୁ ଯାଉଥିବା ସେମାନେ ଦେଖିଥିଲେ। ଏହାପରେ ସେମାନେ ପାଟି କରିଥିଲେ ଓ ଉକ୍ତ ଲୋକମାନଙ୍କୁ ଧରିବାକୁ ଗୋଡ଼ାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇଥିଲେ। ଗୁଳିଟି ଜୁଗେଶ୍ୱରଙ୍କ ପେଟରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସଇଁନ୍ତଳା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳକୁ ବଲାଙ୍ଗିର ଏସପି ନୀତିନ କୁଶଳକର, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ, ସଇଁନ୍ତଳା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବଲାଙ୍ଗିର ଜିଲ୍ଲା ବନବିଭାଗ ଡିଏଫଓ ସମୀର ସତପଥୀ, ସଇଁନ୍ତଳା ରେଞ୍ଜର ରାଜ କିଶୋର ହରପାଳ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ ଯାଇ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ। ଏଥିସହ ସଇଁନ୍ତଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।