ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ବାଲାଜି ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଚାରଭାଟି ଗ୍ରାମର ଶ୍ରୀପତି ପ୍ରଧାନ(୪୫)। ସେ ଏମସିଏଲ କୋଇଲା ଖଣିର ଜଣେ କର୍ମଚାରୀ ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଶ୍ରୀପତି ଆଜି ଅପରାହ୍ନରେ ଏକ ସ୍କୁଟିରେ ଚାରଭାଟିରୁ ବନ୍ଧବାହାଲକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଆପାଚି ମୋଟରସାଇକେଲ ଚାଳକ ତାଙ୍କୁ ବାଲାଜି ପେଟ୍ରୋଲ ପମ୍ପ ନିକଟରେ ଧକ୍କା ଦେଇଥିଲେ। ଫଳରେ ଶ୍ରୀପତି ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତାଙ୍କୁ ଉଦ୍ଧାର କାରି ସ୍ଥାନୀୟ ମଣ୍ଡଳିଆ କେନ୍ଦ୍ରୀୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ଶ୍ରୀପତିଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଏନେଇ ବ୍ରଜରାଜନଗର ଥାନାରେ ରାମପୁର ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।