ଦିନକରେ ଦେଶରେ ୨.୪୦ ଲକ୍ଷ ସଂକ୍ରମିତ ଚିହ୍ନଟ, ୩୭୪୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶବ୍ୟାପୀ ତାଲାବନ୍ଦ ସହିତ କୋଭିଡ କଟକଣା ପାଳନ, ତାହାସହିତ ନମୁନା ପରୀକ୍ଷା ବୃଦ୍ଧି, ଟିକାକରଣ ଆଦିରୁ ସୁଫଳ ମିଳିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଦିନକରେ ୨ ଲକ୍ଷ ୪୦ ହଜାର ୮୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବେ କିଛିଦିନ ଧରି ମୃତ୍ୟୁସଂଖ୍ୟା ଦୈନିକ ୪ହଜାର ଉପରେ ରହୁଥିବାବେଳେ ଗତକାଲି ତାହା ୩୭୪୧କୁ ହ୍ରାସପାଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଜାରି କରାଯାଇଛି।

ଏହି ନୂଆ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨କୁ ବୃଦ୍ଧି ପାଇଛି। ଅନ୍ୟପଟେ କୋଭିଡ ସଂକ୍ରମିତ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୫ ହଜାର ୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ କୋଟି ୩୪ ଲକ୍ଷ ୨୫ ହଜାର ୪୬୭ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୨୮ ଲକ୍ଷ ୦୫ ହଜାର ୩୯୯ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଥିବା ବେଳେ ୨ ଲକ୍ଷ ୯୯ ହଜାର ୨୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଦେଶରେ ଆଜି ସୁଦ୍ଧା ୧୯ କୋଟି ୫୦ ଲକ୍ଷ ୦୪ ହଜାର ୧୮୪ ଜଣ କୋଭିଡ ଟିକା ନେଇସାରିଛନ୍ତି।