ଇବ ନଦୀରେ ବୁଡ଼ି ନାବାଳକ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଇବ୍ ନଦୀ ଓପିଏମ ଘାଟରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବ୍ରଜରାଜନଗର ଥାନା ଲମଟିବହାଲର ରିଣ୍ଟୁ ପୋଇରା (୧୪) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳେ ରିଣ୍ଟୁ ୩ଜଣ ସାଙ୍ଗ ସହ ଘରୁ ମର୍ଣ୍ଣିଂ ୱାକରେ ଆସି ଇବ୍ ନଦୀରେ ଗାଧୋଉଥିଲେ। ଏହି ସମୟରେ ରିଣ୍ଟୁଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ିି ଯାଇଥିଲେ। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଝାରସୁଗୁଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଂଚିି ପାଣି ଭିତରୁ ନାବାଳକକୁୁ ଉଦ୍ଧାର କରିଥିଲେ। ପରେ ସଙ୍ଗେ ସଙ୍ଗେ ରିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ଏମସିଏଲ ସେଣ୍ଟ୍ରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି।