ଅର୍ଥାଭାବ ଯୋଗୁ ଗଛରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମଦେଇ ଯାଇଥିବା ନାଳକଡ଼ର ଏକ ଗଛରୁ ଆଜି ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସୁଗୁଡ଼ା ହରିଜନ ସାହିର ସ୍ୱର୍ଗତଃ ବନ୍ଧୁ ପାତ୍ରଙ୍କ ପୁଅ ଗିରିଶ ଚନ୍ଦ୍ର ପାତ୍ର(୩୩)। ମିଳିଥିବା ରିପୋର୍ଟ ମୁତାବିକ, ଗିରିଶ ମୁଲମଜୁରୀ ଲାଗି ପେଟ ପୋଷିଥାନ୍ତି। ବିଗତ ୪ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିବାବେଳେ ବିଧବା ମା’ ସହ ଗିରିଶ କାମ ଧନ୍ଦା କରି ଚଳୁଥିଲେ । ତେବେ କରୋନା ପରିସ୍ଥିତି ପରେ ଗ୍ରାମରେ କାମଧନ୍ଦା ଅଭାବ ଦେଖା ଦେବାରୁ ଗିରିଶ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିଲେ। ଗତକାଲି ସନ୍ଧ୍ୟାରେ ଗିରିଶ ମା’ଙ୍କୁ ହାତଖର୍ଚ୍ଚ ପାଇଁ ଶହେ ଟଙ୍କା ମାଗିଥିଲେ। ମାତ୍ର ତାଙ୍କ ମା’ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଗିରିଶ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଅନ୍ୟଦିନମାନଙ୍କ ଭଳି ଗତକାଲି ରାତିରେ ମଧ୍ୟ ଖିଆପିଆ ସାରି ମା’ ଶୋଇଥିବାବେଳେ ଗିରିଶ ବାହାରକୁ ବାହାରିଥିଲେ। ମାତ୍ର ଆଜି ସକାଳେ ତାଙ୍କର ମୃତଦେହ ଗ୍ରାମର କନ୍ଧସାହି ନିକଟସ୍ଥ ନାଳକଡ଼ରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଏସମ୍ପର୍କରେ ଦେବଗଡ଼ ଥାନାକୁ ସୂଚନା ଦେବାରୁ ଏସଆଇ ବୁଦ୍ଧରାୟ ମାଝୀ ଓ ପ୍ରତାପ ମଣ୍ଟୁ ଦଳେଇ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।