ପାଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିରେ ଚାଲିଗଲା ଫରେଷ୍ଟ ଗାର୍ଡଙ୍କ ଜୀବନ

ସଇଁନ୍ତଳା,ଏନ୍ଏନ୍ଏସ୍: ପାଟ୍ରୋଲିଂ ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ଜଣେ ଫରେଷ୍ଟ ଗାର୍ଡଙ୍କ ଜୀବନ। ଏଭଳି ଏକ ଅଘଟଣ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ରେଞ୍ଜ ଅନ୍ତର୍ଗତ ରେଙ୍ଗାଲବାହାଲ ଗାଁ ନିକଟରେ ଘଟିଛି। ମୃତ ଫରେଷ୍ଟ ଗାର୍ଡ ଜଣକ ହେଲେ ଜୁଗେଶ୍ୱର ବୁଡ଼େକ(୧୯)। ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ରାତି ପ୍ରାୟ ୯ଟା ବେଳେ କରମତଲା ବିଟ୍ ଫରେଷ୍ଟରଙ୍କ ସହ ଜୁଗେଶ୍ୱର ପାଟ୍ରୋଲିଂ ପାଇଁ ଯାଇଥିଲେ। ରେଙ୍ଗାଲବାହାଲ ଗାଁ ନିକଟରେ ୨-୩ଜଣ ବ୍ୟକ୍ତି ବନ୍ଧୁକ ଧରି ଜଙ୍ଗଲକୁ ଯାଉଥିବା ସେମାନେ ଦେଖିଥିଲେ। ପରେ ସେମାନେ ଉକ୍ତ ଲୋକଙ୍କୁ ଧରିବାକୁ ଗୋଡ଼ାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ କେହି ଜଣେ ଗୁଳି ଚଳାଇଥିଲେ ଯାହାକି ଜୁଗେଶ୍ୱରଙ୍କ ପେଟରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସଇଁନ୍ତଳା ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଉକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ଜଙ୍ଗଲ ବିଭାଗର ଅନ୍ୟ ଅଧିକାରୀ ସେଠାରେ ପହଂଚିଥିଲେ। ଘଟଣାର ତଦନ୍ତ ଚାଲିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି।