କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁର ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ପ୍ରତାପଗଡ଼ର ବିପେନ୍ଦ୍ର ସିଂହ(୩୮), କୁଶିନଗରର ନିତିଶ ସିଂହ(୨୭) ଓ ବିହାର ଗୋପାଳଗଞ୍ଜର ରାଜୁ କୁମାର(୨୪)। ପାଡୁଆ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏସପି ବରୁଣ ଗୁଂଟୁପାଲ୍ଲିଙ୍କୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ର, ଥାନାଧିକାରୀ କପିଳେଶ୍ୱର ବେହେରା, ସବଇନ୍ସପେକ୍ଟର ମାନସ ଭୋଇ ଓ ଅନ୍ୟମାନେ ପାଟ୍ରୋଲିଂ କରୁଥିବାବେଳେ ବ୍ଲକ୍ ଅଫିସ୍ ନିକଟରେ ଏକ ପଇଡ଼ ବୋଝେଇ ଟ୍ରକକୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରକରୁ ୪୫୬କିଲୋ ୭୦୦ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ଜବତ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ନନ୍ଦପୁର, ଜୟପୁର ଓ ଛତିଶଗଡ଼ ଦେଇ ଉତ୍ତରପ୍ରଦେଶକୁ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।