କଣ୍ଟାବାଞ୍ଜି,ସଇଁନ୍ତଳା: ଡକାୟତି ଉଦ୍ୟମ ପଣ୍ଡ । ଲକଡାଉନ ସମୟରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଧରା ପଡ଼ିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ରାସ୍ତାରେ ପେଟ୍ରୋଲିଂ ସମୟରେ ଗୁରୁଣ୍ଡା-ଭୋଇପଡ଼ା ଗ୍ରାମ ମଝିରେ ଏକ ନମ୍ବର ବିହୀନ ଆପାଚି ବାଇକରେ ଥିବା ୩ ଯୁବକ ସନ୍ଦିଗ୍ଧଜନକ ଭାବେ ବୁଲୁଥିଲେ । ସାଥୀରେ ଆଉ ୨ଟି ବାଇକରେ ୨ଜଣ ଏପଟ ସେପଟ ହେଉଥିଲେ। ସନ୍ଦେହ ହେବାରୁ ପୁଲିସ ସେମାନଙ୍କ ନିକଟରେ ଗାଡ଼ି ରଖିଥିଲା । ପୁଲିସ ଆସୁଥିବାର ଦେଖି ୨ଟି ବାଇକରେ ଥିବା ୨ଜଣ ଫେରାର ହୋଇଯାଇଥିଲେ । ଅନ୍ୟ ୨ ଜଣକୁ ଧରି ପଚରାଉଚରା କରିବା ପରେ ଅସଲ କଥା ଜଣାପଡ଼ିଥିଲା । ତେବେ ୩ ଜଣଙ୍କଠାରୁ ଏକ ଦେଶୀ ପିସ୍ତଲ,ଏକ ଭୁଜାଲି, ୩ଟି ମୋବାଇଲ ଓ ଏକ ନମ୍ବରବିହୀନ ଆପାଚି ବାଇକ ପୁଲିସ ଜବତ କରିଛି । ଏହାସହ ୩ ଯୁବକଙ୍କୁ ଆଣି ଥାନାରେ ଅଟକ ରଖି ତଦନ୍ତ ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ୩ ଦୁର୍ଦ୍ଦାନ୍ତ ଅପରାଧୀ ହେଲେ ବଙ୍ଗୋମୁଣ୍ଡା ଥାନା ସଦରର ଦୁଃଖୀରାମ ସରାଫ, ମୁରିବାହାଲ ଥାନା ଭୋଇପଡ଼ାର ବସନ୍ତ ସରାଫ ଓ ଧ୍ୱଜ ସରାଫ । ଅନ୍ୟପଟେ ଫେରାର ହୋଇଯାଇଥିବା ୨ଜଣ ହେଲେ ବଙ୍ଗୋମୁଣ୍ଡାର ଅଭିଷେକ ସରାଫ ଓ ସୁନ୍ଦର ଭୁଲେ ପାୟସିଂ । ନିଛାଟିଆ ରାସ୍ତାରେ ଡକାୟତି ଉଦ୍ୟମ ସମ୍ପର୍କରେ ଆଲୋଚନା କରୁଥିବା ୩ଜଣ ସ୍ୱୀକାର କରିଛନ୍ତି । ଏମାନେ ବହୁ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।