ପାଟଣାଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ସମଗ୍ର ରାଜ୍ୟରେ ଲକଡାଉନ ଘୋଷଣା କରିବା ସହ ନୂତନ ଗାଇଡଲାଇନ ଲାଗୁ କରିଛନ୍ତି। ଏଥିରେ ରାଜ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ଖୋଲାଯାଇପାରିବ ନାହିଁ ବୋଲି ଦର୍ଶାଇଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଘରେ ଘରେ ଦେଶୀ ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେଥିପାଇଁ ଆଜି ବଲାଙ୍ଗିର ଜିଲ୍ଲାପାଳ ଓ ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର ଉଦେଲାଲ ନାୟକଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଚଢ଼ଉ କରି ବିଭିନ୍ନ ସ୍ଥାନରୁ ୪୦୦ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ, ୨୫୦୦କେଜି ମହୁଲ ପୋଚ ସହ ମଦ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି।
ପ୍ରକାଶଯୋଗ୍ୟ, ରେଙ୍ଗାଲି ଗ୍ରାମରେ ମଦ ଏକ କୁଟୀର ଶିଳ୍ପ ରୂପେ ପରିଣତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅବକାରୀ ଓ ପୁଲିସ ବିଭାଗର କର୍ମଚାରୀମାନେ ଗ୍ରାମର ଘରମାନଙ୍କୁ ଯାଇ ଯାଞ୍ଚ କରିଥିଲେ। ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ତହସିଲଦାର ଡା.ପୁଷ୍ପାଞ୍ଜଳି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।