ଗାଁ ଓ ୱାର୍ଡ ସ୍ତରରେ ହେଉ କୋଭିଡ୍ ମୁକାବିଲା

ନବୀନଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗାଁ ଓ ୱାର୍ଡ଼ ସ୍ତରରେ କୋଭିଡ୍-୧୯ର ମୁକାବିଲା କରାଯାଉ। ସମସ୍ତ ରାଜନୈତିକ ଦଳର ନେତାଙ୍କୁ ନେଇ ଗଠନ ହେଉ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ଏସବୁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ କହିଥିଲେ, ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ସମୟ ଥିବାରୁ ସମାଜର ତଳ ସ୍ତରରୁ କରୋନା ମୁକାବିଲାର ଆବଶ୍ୟକତା ରହିଛି। ବିଶେଷକରି ଗାଁ ଓ ୱାର୍ଡ ସ୍ତରରେ କୋଭିଡ୍ ପରିଚାଳନା କରିବାର ବେଳ ଆସିଛି। ଏଥିପାଇଁ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ କରିବା ଦରକାର। ରାଜ୍ୟର ସବୁ ଗାଁ ଓ ୱାର୍ଡ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତୃତ୍ୱମାନଙ୍କୁ ନେଇ ଆଗୁଆ ଏକ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କଲେ କରୋନା ଆଉ ଗାଁଗହଳିକୁ ବ୍ୟାପୀ ପାରିବ ନାହିଁ। କେବଳ ଓଡ଼ିଶା ନୁହେଁ ସବୁ ରାଜ୍ୟରେ ଏହି ପଦକ୍ଷେପ ନେବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ।
ଓଡ଼ିଶାରେ ସମସ୍ତଙ୍କୁ ଟିକାକରଣ କିପରି ସମ୍ଭବ ହେବ ତା’ଉପରେ ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟକୁ କିପରି ଅଧିକରୁ ଅଧିକ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଧାର୍ଯ୍ୟ ସମୟ ମଧ୍ୟରେ ମିଳିବା ଓ ରେମଡେସିଭର ଇଞ୍ଜେକ୍ସନ, ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଉପଲବ୍ଧ ହେବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅବଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ମର୍ମରେ କହିଥିଲେ, ଓଡ଼ିଶାରେ କୋଭିଡ୍-୧୯ର ସଠିକ୍ ମୁକାବିଲା କରିବାକୁ ହେଲେ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପଗୁଡ଼ିକ ଅନୁସରଣ କରିବା ଦରକାର। ଯୁଦ୍ଧକାଳୀନ ଭିତ୍ତିରେ ଏନେଇ ପଦକ୍ଷେପ ନେବାର ଅଛି। ବର୍ତ୍ତମାନ କୋଭିଡ୍ ମହାମାରୀର ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ସଯୋଗ ବିନା ସଫଳତା ମିଳିବା କଷ୍ଟକର। ତେଣୁ ମିଳିତ ସହଯୋଗ ଏବଂ ସମନ୍ୱୟ ବଳରେ ଏହି ମହାମାରୀ ବିରୋଧ ଲଢ଼େଇରେ ବିଜୟୀ ହେବା ଏବଂ ଏକାଠି ଜିତିପାରିବା ବୋଲି ଶ୍ରୀ ପ୍ରଧାନ କହିଥିଲେ।
ପରେ କେନ୍ଦ୍ର ମନ୍ତ୍ରୀ ଟ୍ୱିଟ୍ କରି କହିିଥିଲେ, ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢ଼ାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ରମନ୍ତ୍ରୀ ପୂର୍ବରୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏଥିପାଇଁ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଙ୍ଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ କଥାହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ବୋଲି ପ୍ରକାଶ କରଛନ୍ତି।