ମୃତ ସମ୍ବାଦିକଙ୍କ ପରିବାରକୁ ସହଯୋଗର ହାତ ବଢାଇଲା ଯୁବ ସାମ୍ବାଦିକ ସଙ୍ଘ

ପାଟଣା,ଏନ୍ଏନ୍ଏସ୍: ସାରା ଦେଶରେ ବର୍ତ୍ତମାନ କରୋନା ତାର ଦ୍ୱିତୀୟ ଲହରୀର କାୟା ବିସ୍ତାର କରି ଚାଲିଛି। ଏହି କରୋନାର କରାଳ ମାଡ଼ରେ ବହୁ ମନୁଷ୍ୟ ଜୀବନ ହାନି ହେଉଛି। ଏହି କରୋନା ଭୂତାଣୁର ଦ୍ୱିତୀୟ ଲହରିରେ ବହୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ପରିଗଣିତ ସାମ୍ବାଦିକଙ୍କ ଜୀବନ ଯାଉଛି। ଏହି କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ମାଛଗଡ଼ ପଞ୍ଚାୟତ ଦୁଧିନାଳୀ ଗ୍ରାମର ରମେଶ ସେନ ମୁଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି। ରମେଶ ସେନ ନିଉଜ ୬ ନାମକ ଏକ ୱେବ ଚ୍ୟାନେଲରେ କାର୍ଯ୍ୟରତ ଥିଲେ। ତାଙ୍କର ଘରେ ସ୍ତ୍ରୀ ଓ ଦୁଇ ପୁଅ ଝିଅ ଅଛନ୍ତି। ତାଙ୍କର ଅକାଳ ବିୟୋଗରେ ଦଶାହ କାର୍ଯ୍ୟ ପାଇଁ ସାହାଯ୍ୟର ହାତ ବଢାଇଛି କେନ୍ଦୁଝର ଜିଲ୍ଲା ଯୁବ ସାମ୍ବାଦିକ ସଙ୍ଘ।

ଆଜି ସଂଘ ସମ୍ପାଦକ ସନ୍ତୋଷ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଙ୍କ ଦୁଧିନାଳୀ ସ୍ଥିତ ବାସଭବନକୁ ଯାଇ ତାଙ୍କ ପତ୍ନୀଙ୍କୁ ଦଶାହ କାର୍ଯ୍ୟପାଇଁ ସହଯୋଗ ରାଶି ପ୍ରଦାନ କରିବା ସହ ଆଗାମୀ ଦିନରେ ଅସୁବିଧା ସମୟରେ ସହଯୋଗର ଆଶ୍ୱାସନା ଦେଇଥିଲେ। ଯୁବ ସାମ୍ବାଦିକ ସଙ୍ଘ ପରିବାରର ପ୍ରତ୍ୟକ ସଦସ୍ୟ ଏହି ରାଶିରେ ସହଯୋଗର ହାତ ବଢାଇଥିଲେ। କୋଷାଧକ୍ଷ ହେମନ୍ତ ମହାରଣା, ସଦସ୍ୟ ଶିବାଜୀ ଗୌତମ ମହାନ୍ତ ବର୍ମା, ରତିରଞ୍ଜନ ମହାନ୍ତ ପ୍ରମୁଖ ରମେଶ ସେନଙ୍କ ଗ୍ରାମକୁ ଯାଇ ସହଯୋଗ କରିଥିଲେ।

ଯୁବ ସାମ୍ବାଦିକ ସଙ୍ଘର ଏହି ଉଦ୍ୟମକୁ ସାରା ଜିଲ୍ଲାରେ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ଯୁବ ସାମ୍ବାଦିକ ସଂଘ ଏଭଳି ପରିସ୍ଥିତିରେ ଜିଲ୍ଲାର କୋଣ ଅନୁକୋଣରେ ଥିବା ସମସ୍ତ ସାମ୍ବାଦିକଙ୍କୁ ସହଯୋଗର ହାତ ବଢ଼ାଇବ ବୋଲି ଜିଲ୍ଲା ସଭାପତି ନାରାୟଣ ସାହୁ ପ୍ରକାଶ କରିଛନ୍ତି।