ବାହାଘର ଦିନ ଆଖି ବୁଜିଲେ ଯୁବ ଶିକ୍ଷକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କଣ୍ଡେଇକେଲା ଗ୍ରାମର ଯୁବ ଶିକ୍ଷକ ନେପାଲ ପ୍ରଧାନ ନିଜ ବାହଘର ଦିନ ହିଁ ଆଖି ବୁଜିଛନ୍ତି। ଶ୍ରୀ ପ୍ରଧାନ ଆଜି ବରଗଡ଼ ବଙ୍ଗାପାଲି ଗ୍ରାମକୁ ବର ବେଶରେ ଯାଇଥାଆନ୍ତେ। ହେଲେ ମଲ୍ଟି ଅର୍ଗନ ଡେମେଜ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ୩-୪ଦିନ ପୂର୍ବେ ହଠାତ ନେପାଳ ଅସୁସ୍ଥ ହୋଇ ପଡ଼ିଥିଲେ। କୋଭିଡ ଲକ୍ଷଣ ଥିବାରୁ ସେ ଆଣ୍ଟିଜେନ ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ଗତକାଲି ସଂଧ୍ୟାରେ ସେ ଘରେ ଶୋଇଥିବାବେଳେ ହଠାତ୍ ତାଙ୍କର ଅମ୍ଳଜାନ ସ୍ତର କମି ଯାଇଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ, ସେଠାରୁ ବୁର୍ଲ୍ଲାକୁ ସ୍ଥାନାନ୍ତର କରିଥିଲେ। ବୁର୍ଲ୍ଲାରେ ତାଙ୍କୁ ଆଇସିୟୁରେ ରଖିବା ପରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ। ହେଲେ ମଲ୍ଟି ଅର୍ଗାନ ଡେମେଜ ଯୋଗୁ ହଠାତ ନେପାଲଙ୍କ ମୃତ୍ୟୁ ହୋଇଥିଲା। ପ୍ରକାଶଯୋଗ୍ୟ, ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ କାର୍ଯ୍ୟରେ ନେପାଲ ନିୟୋଜିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ଜଣେ ସୁସ୍ଥ ମଣିଷ ହଠାତ ଆଖି ବୁଜିଦେବା ଘଟଣା ବଶ୍ୱାସ କରି ହେଉନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି।