ନାବାଳିକୁ ଅସଦାଚରଣ କରି ଯୁବକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବୁଢ଼ାପାଳ ଗ୍ରାମରେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଅସଦାଚରଣ କରି ଜଣେ ୨୯ ବର୍ଷୀୟ ଯୁବକ ଗିରଫ ହୋଇଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୁଢାପାଳ ଗ୍ରାମରେ ଗତ ବୁଧବାର ରାତିରେ ଖିଆପିଆ ସାରି ନିଜ ଘର ବାରଣ୍ଡାରେ ପରିବାର ଲୋକଙ୍କ ସହ ନାବାଳିକା ଜଣଙ୍କ ଶୋଇଥିଲା। ତେବେ ରାତ୍ରି ପ୍ରାୟ ୧୧ଟା ସମୟରେ ଉକ୍ତ ଗ୍ରାମର ସରୋଜ କୁମାର ନାଏକ (୨୯) ନାମକ ଯୁବକ ଉକ୍ତ ନାବାଳିକା ଘରକୁ ପଶି ଶୋଇଥିବା ଅବସ୍ଥାରେ ନାବାଳିକାର ଛାତିରେ ହାତ ମାରିବା ସହ ଗୋଡ ଟାଣିଥିଲା। ନାବାଳିକା ଜଣକ ଚମକି ପଡି ନିଦରୁ ଉଠି ବସି ପଡିବା ବେଳକୁ ସରୋଜ ମାଡି ବସିଥିଲା। ଫଳରେ ନାବାଳିକା ଜଣକ ଚିତ୍କାର କରିବାରୁ ପରିବାର ର ଅନ୍ୟ ସଦସ୍ୟ ମାନେ ନିଦରୁ ଉଠି ବସିଥିଲେ। ଏହା ଦେଖି ସରୋଜ ଘଟଣା ସ୍ଥଳରୁ ଦୌଡି ଫେରାର ହୋଇଯାଇଥିଲେ ହେଁ ତାର ଚପଲ ସେଠାରେ ରହି ଯାଇଥିଲା।

ଏନେଇ ନାବାଳିକାଙ୍କ ପରିବାର ଲୋକ ସକାଳେ ଗ୍ରାମରେ ଘଟଣା ସମ୍ପର୍କରେ ଅଭିଯୋଗ କରିବାରୁ ଗାଁ’ରେ ଗତକାଲି ଏକ ସଭା ଡକା ଯାଇଥିଲା। ମାତ୍ର ଗାଁ ସଭାରେ ଅଭିଯୁକ୍ତ ଏହି ଘଟଣାରେ ତାର ସମ୍ପୃକ୍ତିକୁ ମାନି ନଥିବା ବେଳେ ଜବତ ଚପଲ ତାର ନଥିବା ପ୍ରକାଶ କରିବା ସହ ନାବାଳିକା ପରିବାର ଲୋକଙ୍କୁ ଆସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା।

ଗତକାଲି ନାବାଳିକା ପରିବାର ଲୋକ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସରୋଜକୁ ଗିରଫ କରିବା ସହ ପୋକ୍ସୋ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତି।