କୋରାପୁଟ,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ୨୧ଜଣ ସାମ୍ବାଦିକ ପ୍ରାଣ ହରାଇଥିବାବେଳେ କୋରାପୁଟ ଜିଲ୍ଲାରେ ପ୍ରଥମଥର ପାଇଁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ସାମ୍ବାଦିକ ହେଲେ ଦୈନିକ ତେଲୁଗୁ ଖବରକାଗଜ ‘ସାକ୍ଷୀ’ର ପ୍ରତିନିଧି ଡି.ଶଙ୍କର ରାଓ(୭୫)। ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସ୍ୱର୍ଗତ ରାଓ ୨୦ ବର୍ଷରୁ ଉର୍ଦ୍ଧ୍ୱ କାଳ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ। ଶ୍ରୀ ରାଓ ତେଲୁଗୁ ଖବରକାଗଜ ‘ଇନାଡୁ’ରେ ସାମ୍ବାଦିକତା ଆରମ୍ଭ କରିଥିଲେ ଓ ବର୍ତ୍ତମାନ ‘ସାକ୍ଷୀ’ରେ କାର୍ଯ୍ୟରତ ଥିଲେ। ଅସୁସ୍ଥତା ଅନୁଭବ କରିବାରୁ ଗୁରୁବାର ରାତିରେ ଶ୍ରୀ ରାଓଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନିଆ ଯାଇଥିଲା। ପରେ କୋଭିଡ୍ ପଜିଟିଭ୍ ବାହାରିବା ପରେ ମେଡିକାଲ୍ କଲେଜର କୋଭିଡ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀ ରାଓଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସେ ଜଣେ ଉଚ୍ଚକୋଟୀର ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକ ଥିଲେ। ତାଙ୍କ ମୃତ୍ୟୁ କୋରାପୁଟ ଜିଲ୍ଲା ଓ ସାମ୍ବାଦିକ ପରିବାର ପାଇଁ ଏକ ବିରାଟ କ୍ଷତି ବୋଲି ମତପ୍ରକାଶ ପାଇଛି। ଶ୍ରୀ ରାଓଙ୍କ ବିୟୋଗରେ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତାର୍,ଏଡିଏମ୍ ଦେବେନ୍ କୁମାର ପ୍ରଧାନ, ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାଜଗୁରୁ, କୋଟପାଡ଼ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ୍, କୋରାପୁଟ ବିଧାୟକ ରଘୁରାମ ପଡାଲ୍, ଜିଲ୍ଲା ବିଜେଡି ସଭାପତି ବିହନ ନିଗମ ଅଧ୍ୟକ୍ଷ ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ୍ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ ଓ ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।