ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ଦ୍ଵିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବେକାବୁ ହେବା ସହ ମୃତ୍ୟୁ ସଂଖ୍ୟାର ଗ୍ରାଫ ମଧ୍ୟ ଉପର ମୁହାଁ ହୋଇଛି। ଜିଲ୍ଲାରେ ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଇସିୟୁ ଏବଂ ଭେଣ୍ଟିଲେଟରର ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀଙ୍କୁ ପଡୋଶୀ ଜିଲ୍ଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଉଥିଲା। ଗତ କିଛି ଦିନ ଧରି ଦେବଗଡ଼ ଜିଲ୍ଲାରେ ପ୍ରତ୍ୟେକ ଦିନ ଏକାଧିକ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା। ସରକାରୀ ଭାବେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ଦର୍ଶା ଯାଉଥିବାବେଳେ ଦେବଗଡ଼ କୋଭିଡ ଡାକ୍ତରଖାନାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର ହୋଇ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟାକୁ ହିସାବ କଲେ ଢେର ଅଧିକ।
ସେହିପରି ଗତ କିଛିଦିନ ଧରି ଜିଲ୍ଲାରେ ଭେଣ୍ଟିଲେଟର ବ୍ୟବସ୍ଥା ପାଇଁ ସାମାଜିକ ଗଣମାଧ୍ୟମରେ ଜିଲ୍ଲାର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉପରେ ଚାପ ପକାଯାଇଥିଲା। ଏପରିକି ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାରେ ଭେଣ୍ଟିଲେଟର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ମଞ୍ଚରେ ଦାବି ଉପସ୍ଥାପନ କରିଥିଲେ। ସେହିପରି ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ବହୁ ମନ୍ତ୍ରୀଙ୍କୁ ଜିଲ୍ଲାରେ ଭେଣ୍ଟିଲେଟରର ନିହାତି ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଜିଲ୍ଲାରେ ତୁରନ୍ତ ଭେଣ୍ଟିଲେଟର ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସେହିପରି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ରାଜ୍ୟ ସରକାରଙ୍କୁ ଐ ସମ୍ପର୍କରେ ଅବଗତ କରାଇବା ପରେ ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲାକୁ ୬ଟି ଭେଣ୍ଟିଲେଟର ପ୍ରଦାନ କରିଥିବା ବେଳେ ଆଜି କୋଭିଡ କେୟାର ସେଣ୍ଟର ଠାରେ ଏହାକୁ ଖଞ୍ଜା ଯିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି।
ଏନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କରୋନା ମୁକାବିଲା ପାଇଁ ଆବଶ୍ୟକ କୋଭିଡ ସାମଗ୍ରୀ ସହ କୋଭିଡ ମୁକାବିଲା ପାଇଁ ଗତ ବର୍ଷ ନିଯୁକ୍ତ ହୋଇ ଛଟେଇ ହୋଇଥିବା ଏଲଟି, ଫାର୍ମାସିଷ୍ଟଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି।