ପ୍ରତି ଜିଲ୍ଲାରେ ୧୮-୪୪ ବର୍ଗଙ୍କୁ ଟିକା ଦିଅ: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ମାସ ୧ ତାରିଖରୁ ୧୮-୪୪ ବର୍ଷ ବର୍ଗର ସମସ୍ତଙ୍କୁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଦେଶବ୍ୟାପୀ ଆରମ୍ଭ ହୋଇଛି। ମାତ୍ର, ଓଡ଼ିଶାରେ ଭୁବନେଶ୍ୱର ବ୍ୟତିତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏହି ବର୍ଗଙ୍କ ଲାଗି କାହିଁକି ଟିକାକରଣ ଆରମ୍ଭ ହୋଇପାରିଲା ନାହିଁ ଏନେଇ ପ୍ରଶ୍ନ କରିଛି ବିଜେପି। ଟ୍ରାଏଲ ରନ୍ ପାଇଁ କେବଳ ଭୁବନେଶ୍ୱର କାହିଁକି, ଆଉ କେତେଦିନ ଯାଏଁ ଭୁନେଶ୍ୱରରେ ଏହା ଜାରି ରହିବ ଏବଂ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ କେବେଠୁ ଏହି ଟିକାକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟ ରାଜକୋଷରୁ ଅର୍ଥ ବରାଦ କରି ଓଡ଼ିଶାର ସମସ୍ତ ଯୁବକଯୁବତୀମାନଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଯାହାକି ସମସ୍ତଙ୍କ ମନରେ ଆନନ୍ଦ ଭରି ଦେଇଥିଲା। ହେଲେ ଏବେ ୬ ଦିନ ଧରି କେବଳ ଭୁବନେଶ୍ୱରରେ ଟିକାକରଣ ଚାଲିଛି। ଅନ୍ୟ ସ୍ଥାନରେ କେବେ ହେବ ମୁଖ୍ୟମନ୍ତ୍ରୀ କିଛି କହୁନାହାନ୍ତି। ୨୦ ବର୍ଷର ଶାସନ କାଳରେ ଓଡ଼ିଆ ଯୁବକଯୁବତୀଙ୍କୁ ରୋଜଗାର, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତାରଣା କରି ଆସିଛନ୍ତି। ଆଜି ଆଉ ସେମାନଙ୍କ ଜୀବନ ସହ ଖେଳ ଖେଳନ୍ତୁ ନାହିଁ। ସେମାନେ ସମସ୍ତେ କୋଭିଡ୍ ଟିକା ପାଇଁ ସଂପୂର୍ଣ୍ଣ ହକଦାର ଏବଂ ସେମାନଙ୍କୁ ତାଙ୍କ ଅଧିକାରରୁ କେହିହେଲେ ବଞ୍ଚିତ କରିପାରିବେ ନାହିଁ। ରାଜ୍ୟର ସମସ୍ତ ଯୁବକଯୁବତୀମାନଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମାଗଣା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି।