ଏମବିବିଏସ ଶେଷବର୍ଷ ଛାତ୍ରଛାତ୍ରୀ କରିବେ କୋଭିଡ ଡ୍ୟୁଟି

ନୂଆଦିଲ୍ଲୀ,ଏଜେନ୍ସି: ଏମବିବିଏସ ଶେଷ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କୁ କୋଭିଡ ଡ୍ୟୁଟିରେ ସାମିଲ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ସୂତ୍ରରୁ ପ୍ରକାଶ ପାଇଛି। କେବଳ ମେଡିକାଲ ଛାତ୍ରଛାତ୍ରୀ ନୁହେଁ ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯିବ। ସରକାରୀ ନିଯୁକ୍ତି ବାହାରିବା ସମୟରେ କାର୍ଯ୍ୟରତ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଦେଶ ହେଉ ଅବା ରାଜ୍ୟ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ନର୍ସ ମଧ୍ୟ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ସେବା ପାଇଁ ସେମାନେ ଉତ୍ସର୍ଗୀକୃତ ଭାବେ ସେବା ଯୋଗାଇ ଆସୁଛନ୍ତି। ଏଭଳି କ୍ଷେତ୍ରରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସେହି ଅନୁପାତରେ ଡାକ୍ତର ଓ ନର୍ସଙ୍କ ଅଭାବ ପରିଲକ୍ଷିତ ହୋଇଛି। ସେଥିଲାଗି କେନ୍ଦ୍ରସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି।