ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ ଅବଧି

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କରୋନା ସ୍ଥିତି ବିଗୁଡ଼ୁଥିବା ଲକ୍ଷ କରି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। କେଜ୍ରିୱାଲ କହିଛନ୍ତି କି ସ୍ଥିତିକୁ ନଜରରେ ରଖି ପୁଣି ଲକଡାଉନ ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି।

ସୂଚନା ଅନୁସାରେ ଦିଲ୍ଲୀରୁ ଗତ ୨୪ ଘଣ୍ଟାରେ ୨୪,୧୦୩ କୋଭିଡ ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏଥିସହିତ ଦିଲ୍ଲୀରେ ପଜିଟିଭ ରୋଗୀଙ୍କ ହାର ୩୨ ପ୍ରତିଶତରେ ପହଞ୍ଚିଛି। ସେହିପରି ହସ୍ପିଟାଲ ମାନଙ୍କରେ ଅକ୍ସିଜେନ ଓ ବେଡର ମଧ୍ୟ ଅଭାବ ରହିଛି। ଫଳରେ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଏହାକୁ ରୋକିବା ପାଇଁ ଲକଡାଉନ ବିନା ଆଉ କୌଣସି ଉପାୟ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ଏହା ପୂର୍ବରୁ ଚଳିତ ମାସ ୧୯ ତାରିଖରେ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ ଆରମ୍ଭ ହୋଇ ୨୬ ଏପ୍ରିଲ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ଆଜି ପୁଣି ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଲକଡାଉନ ସମୟରେ ପୂର୍ବ ନିର୍ଦ୍ଧାରିତ କଟକଣା ଜାରି ରହିବ।