ହିଙ୍ଗୁଳା ମନ୍ଦିରକୁ ୯.୩୨ କୋଟି ଟଙ୍କା ଦେଲା ଏମସିଏଲ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମସିଏଲ ପକ୍ଷରୁ ୯.୩୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏମସିଏଲ ସିଏସଆର ପାଣ୍ଠି ପକ୍ଷରୁ ଏହି ଟଙ୍କା ଅନୁମୋଦନ ହୋଇଛି। ଏମସିଏଲର ଏହି ସହାୟତା ପରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଜଣାଇଥିଲେ। ତାଳଚେର ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ପ୍ରସ୍ତାବ ଅନୁସାରେ ହିଙ୍ଗୁଳା ମନ୍ଦିର ସମ୍ମୁଖର ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟର ଆବଶ୍ୟକ ରହିଛି। ତେଣୁ ଏମସିଏଲର ସିଏସଆର ପାଣ୍ଠିରୁ ଏହି କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ। ଏହି ସହାୟତା ଦ୍ୱାରା ଶ୍ରଦ୍ଧାଳୁମାନେ ଉପକୃତ ହେବାସହ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ସୁବିଧା ମଧ୍ୟ ବଢିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ।