କାଶୀପୁରରେ ବିଏସଏଫ୍ ଆଇଜି, ମାଓ ମୁକାବିଲା ନେଇ ଯବାନଙ୍କ ସହ କଲେ ଆଲୋଚନା

ରାୟଗଡା,ଏନ୍ଏନ୍ଏସ୍: ବିଏସ୍ଏଫ୍ ଆଇଜି ମଧୁସୂଦନ ଶର୍ମା ଦିନିକିଆ ରାୟଗଡା ଜିଲ୍ଲାର କାଶୀପୁରରେ ଥିବା ୬୮ ବାଟାଲିୟନ୍ ଗସ୍ତ କରି ଯବାନଙ୍କ ସହ ଆଲୋଚନା କରିଛନ୍ତି। ୩୦ ମିନିଟ୍ ଧରି ଆଇଜି ଶ୍ରୀ ଶର୍ମା କ୍ୟାମ୍ପ ପରିସରରେ ମାଓ ମୁକାବିଲା ସଂପର୍କରେ ଯବାନଙ୍କ ସହ ଆଲୋଚନା କରିଥିଲେ। କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ବଢ଼ୁଥିବାରୁ ମାଓବାଦୀଙ୍କ ଉପରେ ନଜର ରଖିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି। ଗୁଇନ୍ଦା ସୂଚନାକୁ ଅନୁସାରେ କଳାହାଣ୍ଡିର ତ୍ରିଲୋଚନପୁର, ଥୁଆମୂଳ ରାମପୁର, ରାୟଗଡ଼ାର ନିୟମଗିରି ଇଲାକାରେ ମାଓବାଦୀ ଆଶ୍ରୟ ନେବା ସହ ଅଘଟଣ ଘଟାଇବାକୁ ଯୋଜନା ରହିଥିବା ଜଣାପଡିଛି।

ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ଅଘଟଣ ଘଟାଇ ମାଓବାଦୀ ମାନେ ରାୟଗଡ଼ା-କଳାହାଣ୍ଡି ସୀମାନ୍ତରେ ସୁରକ୍ଷା ନେଉଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି। ନିୟମିତ ବ୍ୟବଧାନରେ କୁମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିବାକୁ ଆଇଜି ଯବାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଆଇଜି ଶ୍ରୀ ଶର୍ମା ପୂର୍ବାହ୍ଣ ୧୧ଟାରେ କାଶୀପୁରରେ ପହଞ୍ଚିଥିଲେ। ଆଇଜିଙ୍କ ସହ ଡିଆଇଜି ପିକେ ମିଶ୍ର, ଏସ୍ କେ ସିଂହ, ଏ ଏସ୍ ରାଥୋଡ୍, ସୁକୁମାର ଷଡଙ୍ଗୀ କାଶୀପୁର ଗସ୍ତରେ ଆସିଥିଲେ। ୬୮ ବାଟାଲିୟନର କମାଣ୍ଡାଣ୍ଟ୍ ଓପି ଶର୍ମା ଓ କାଶୀପୁର କମାଣ୍ଡାଣ୍ଟ୍ ଅଶୋକ କୁମାର ବର୍ମା ଆଲୋଚନା ସମୟରେ ଉପସ୍ଥିତ ଥିଲେ।