ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଭ୍ୟାକ୍ସିନର ଦର ଧାର୍ଯ୍ୟ କରାଯାଇଥିଲା। ଏହାପରେ ଭାରତ ବାୟୋଟେକ୍ ପକ୍ଷରୁ ଦେଶୀ ଟିକା କୋଭାକ୍ସିନର ମଧ୍ୟ ଦର ଧାର୍ଯ୍ୟ ହୋଇଛି। ରାଜ୍ୟ ସରକାର କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବା ବେଳେ ଘରୋଇ ହସ୍ପିଟାଲକୁ ୧୨୦୦ ଟଙ୍କା ଦେବାକୁ ପଡ଼ିବ।
ଏଥିସହ ରପ୍ତାନି ଲାଗି ଡୋଜ୍ ପିଛା ୧୫ରୁ ୨୦ ଡଲାର ଦାମ ରହିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର କୋଭାକ୍ସିନ୍ ଡୋଜ୍ ପିଛା ୧୫୦ ଟଙ୍କାରେ କିଣିବେ। ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ନେବ।
ବାକି ୫୦ ପ୍ରତିଶତ ଭ୍ୟାକ୍ସିନ୍ ରାଜ୍ୟ ଓ ଘରୋଇ ହସ୍ପିଟାଲ ସିଧାସଳଖ କିଣିପାରିବେ। ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ। ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡର ୨ଟି ଟିକା ଦିଆଯାଉଛି। ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡର ଡୋଜ୍ ପିଛା ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ ହୋଇଛି।