ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନାର କହର ଜାରି ରହିଥିବା ବେଳେ ଶନିବାର ଜାରି ରିପୋର୍ଟ ଅନୁସାରେ ୧୦ଟି ରାଜ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୭୪.୧୫ ପ୍ରତିଶତ ୧୦ ରାଜ୍ୟରୁ ଚିହ୍ନଟ ହେଉଛନ୍ତି।
ସେହିପରି ଭାରତର କରୋନା ଗ୍ରାଫରେ ୧୨ ରାଜ୍ୟରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖାଯାଇଛି। ଏଥିରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ଗୁଜୁରାଟ, ତାମିଲନାଡୁ, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗ ରହିଛି।
ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ୭୮୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ରେ ପହଞ୍ଚିଛି। ଏଥିସହିତ ଦେଶରେ ୨୫ ଲକ୍ଷରୁ ଅଧିକ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।