ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଭୟଙ୍କରରୁ ଅତି ଭୟଙ୍କର ହେବାରେ ଲାଗିଛି କରୋନା ମହାମାରୀ। ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀର ଦ୍ୱିତୀୟ ଲହରୀ। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଏହାସହିତ ୨୧୦୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ନୂଆ ୩ ଲକ୍ଷ ୧୪ ହଜାର ୮୩୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫ରେ ପହଞ୍ଚିଛି। ୧ ଲକ୍ଷ ୭୮ ହଜାର ୮୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ କୋଟି ୩୪ ଲକ୍ଷ ୫୪ ହଜାର ୮୮୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ହୋଇଥିବା ୨୧୦୪ ଜଣଙ୍କୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭ରେ ପହଞ୍ଚିଥିବା ଜଣାପଡ଼ିଛି।
ଏହା ପରେ ବର୍ତ୍ତମାନ ଦେଶରେ ୨୨ ଲକ୍ଷ ୯୧ ହଜାର ୪୨୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। କରୋନା ସଂକ୍ରମଣ ବ୍ୟାପି ଚାଲିଥିବା ବେଳେ କେନ୍ଦ୍ର ସରକାର ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଜାରି ରଖିଛନ୍ତି। ଗତ ବୁଧବାର ସୁଦ୍ଧା ଦେଶରେ ମୋଟ ୧୩ କୋଟି ୨୩ ଲକ୍ଷ ୩୦ ହଜାର ୬୪୪ ଜଣଙ୍କୁ ଟିକା ଦିଆଯାଇଛି। ଟିକାକରଣ ପରେ ମଧ୍ୟ ସଂକ୍ରମଣ ହେଉଥିବାରୁ ଦେଶବାସୀଙ୍କୁ କୋଭିଡ ନିୟମ ସଠିକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ କରିଛନ୍ତି। ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ସାନିଟାଇଜ କଲେ କରୋନା ଭାଇରସ ଠାରୁ ରକ୍ଷା ମିଳିପାରିବ।