ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ସମସ୍ତ ପାର୍କ ଉପରେ କଟକଣା ଲାଗିଥିବାବେଳେ ହାଟଗୁଡିକ ମଧ୍ୟ ସ୍ଥାନାନ୍ତର ହୋଇଥିବା ଦେଖିବାକୁ ମିଳିଛି। ରାଜଧାନୀରେ କରୋନା ସଂକ୍ରମଣ ଦୈନିକ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ପାର୍କର ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ବିଏମସି ପକ୍ଷରୁ ରୋକ ଲଗାଯାଇଛି। ବିନା ମାସ୍କରେ ପାର୍କରେ ପ୍ରବେଶ ଉପରେ ରୋକ ଲଗାଇଛି ବିଏମ୍ସି। ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ଉପରେ ଅଙ୍କୁଶ ଲାଗାଇଛି ବିଏମସି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ପୂର୍ବଭଳି ବିଭିନ୍ନ ହାଟଗୁଡିକ ସ୍ଥାନାନ୍ତର କରାଯାଉଛି। ୟୁନିଟ-୧ ହାଟ, ୪ ନମ୍ବର ହାଟ, ଇନ୍ଦ୍ରଧନୁ ନଗର ହାଟ, ନୟାପଲ୍ଲୀ, ସୁନ୍ଦରପଦା ଆଦି ହାଟକୁ ସ୍ଥାନାନ୍ତର କରାଯାଉଛି। ଏଣିକି ଖୋଲା ସ୍ଥାନରେ ବ୍ୟବସାୟ କରାଯିବ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଏମ୍ସି ଏପରି ନିଷ୍ପତ୍ତି ନେଇଛି। ହାଟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯାଉଥିବାବେଳେ ମାସ୍କ ପରିଧାନ ଉପରେ ନଜର ରଖାଯାଉଛି।