ନୂଆଦିଲ୍ଲୀ, ଏଜେନ୍ସି: ପଞ୍ଜାବର ପାକିସ୍ତାନ ସୀମାରେ ଏକ ସନ୍ଦିଗ୍ଧ ପାରା ଧରାପଡ଼ିଛି। ଜଣେ କନଷ୍ଟେବଳ ପାଖକୁ ଏହି ପାରା ଉଡ଼ି ଆସିଲାବେଳେ ଧରାପଡ଼ିଛି। ପାରାର ଗୋଡ଼ରେ ଖଣ୍ଡେ କାଗଜ ବନ୍ଧା ହୋଇଥିଲା। ଗତ ୧୭ତାରିଖ ଦିନ କଳାଧଳା ରଙ୍ଗର ଏହି ପାରାଟି ଉଡ଼ି ଆସି ସେଠାରେ ଥିବା ପୋଷ୍ଟ୍ର କ୍ୟାମ୍ପ ଗାର୍ଡ ଡ୍ୟୁଟିରେ ମୁତୟନ କନଷ୍ଟେବଳ ନିରଜ କୁମାରଙ୍କ କାନ୍ଧରେ ବସିଥିଲା। ପାକିସ୍ତାନ ସୀମାରୁ ଏହି ପୋଷ୍ଟ୍ର ଦୂରତା ମାତ୍ର ୫୦୦ ମିଟର। କନଷ୍ଟେବଳ ତୁରନ୍ତ ସେ ପାରାଟିକୁ ଧରି ପୋଷ୍ଟ୍ କମାଣ୍ଡର ଓମ୍ ପାଲ୍ ସିଂହଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସେ ପାରାଟିକୁ ଯାଞ୍ଚ କରି ତା’ ଗୋଡ଼ରେ ନମ୍ବର ଲିଖିତ ଖଣ୍ଡେ କାଗଜ ବନ୍ଧା ହୋଇଥିବା ଦେଖିଥିଲେ। ଅମୃତସର ଅନ୍ତର୍ଗତ କହରଗଡ଼ ଥାନାରେ ପାରା ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ୨୦୨୦ ମେ’ରେ ଜମ୍ମୁ-କଶ୍ମୀରର କଠୱା ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତରୁ ଏହିଭଳି ଗୋଟିଏ ପାରା ଧରାପଡ଼ିଥିଲା। ପାରାଟିକୁ ଗୁପ୍ତଚର କାର୍ଯ୍ୟରେ ପାକିସ୍ତାନ ନିୟୋଜିତ କରିଥିବା ସନ୍ଦେହ କରାଯାଇଥିଲା।