ଇଣ୍ଡୋନେସିଆର ବୁଡ଼ାଜାହାଜ ନିଖୋଜ, ୫୩ଜଣଙ୍କ ପତ୍ତା ମିଳୁନି

ଜାକର୍ତ୍ତା,ଏଜେନ୍ସି: ଇଣ୍ଡୋନେସିଆର ଏକ ବୁଡ଼ାଜାହାଜ ବୁଧବାର ନିଖୋଜ ହୋଇଯାଇଛି। ଏଥିରେ ଥିବା ୫୩ଜଣଙ୍କ କୌଣସି ସନ୍ଧାନ ମିଳୁନାହିଁ। ମିଳିଥିବା ରିପୋର୍ଟ ଅନୁଯାୟୀ କେଆର୍ଆଇ ନାଙ୍ଗାଲା-୪୦୨ ବୁଡ଼ାଜାହାଜ ଇଣ୍ଡୋନେସିଆର ବାଲିଦ୍ୱୀପର ଉତ୍ତରରେ ୬୦ ମାଇଲ୍ ଦୂରରେ ସମୁଦ୍ର ମଧ୍ୟରେ ନିଖୋଜ ହୋଇଯାଇଛି। ସ୍ଥାନୀୟ ସମୟ ଭୋର୍ ୩ଟା ଠାରୁ ଏହି ବୁଡ଼ାଜାହାଜ ସହିତ କୌଣସି ଯୋଗାଯୋଗ ସମ୍ଭବ ହେଉନାହିଁ। ଏହାକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଇଣ୍ଡୋନେସିଆ ରାଷ୍ଟ୍ରୀୟ ସଶସ୍ତ୍ର ବାହିନୀ କମାଣ୍ଡର ମାର୍ଶାଲ ହାଡି ଜାହଜାଣ୍ଟୋ ଜାତୀୟ ସମ୍ବାଦପତ୍ର କମ୍ପାସ୍୍କୁ ଏହି ସୂଚନା ଦେଇଛନ୍ତି। ଏହାକୁ ମିଶାଇ ୫ଟି ଜର୍ମାନୀ ନିର୍ମିତ ବୁଡ଼ାଜାହାଜ ଇଣ୍ଡୋନେସିଆ ପାଖରେ ଥିଲା। ଏହି ବୁଡ଼ାଜାହାଜ ୧୯୭୯ରେ ନିର୍ମିତ ହୋଇଥିଲା। ନିଖୋଜ ଜାହାଜକୁ ଠାବ କରିବା ପାଇଁ ଅଷ୍ଟ୍ରେଲିଆ ଓ ସିଙ୍ଗାପୁରର ସହାୟତା ଲୋଡ଼ିଛି ଇଣ୍ଡୋନେସିଆ।