ନୂଆଦିଲ୍ଲୀ: ଦେଶରେ କରୋନା ଔଷଧ ରେମଡେସିଭିରର ଆବଶ୍ୟକତା ବଢ଼ି ଚାଲିଥିବାବେଳେ ଏହାର ଅଭାବ ପରିଲକ୍ଷିତ ହୋଇଛି। ସେଥିପାଇଁ ଝାଡଖଣ୍ଡ ସରକାର ରେମଡେସିଭିର ଆମଦାନୀ କରିବା ଲାଗି ବାଙ୍ଗଲାଦେଶର କେତେକ ଫାର୍ମା କମ୍ପାନୀ ସହ ଯୋଗାଯୋଗ କରୁଛନ୍ତି। ଏଥିସହିତ ବିଦେଶରୁ ଏହି ଔଷଧ ଆଣିବା ଲାଗି କେନ୍ଦ୍ରକୁ ଅନୁମତି ମାଗିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି।
ହେମନ୍ତ ସୋରେନ କହିଛନ୍ତି ଯେ, ଝାଡଖଣ୍ଡରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବଡ଼ ଆକାରରେ ରେମଡେସିଭିର ଔଷଧର ଆବଶ୍ୟକତା ପରିଲକ୍ଷିତ ହେଉଛି। ଜରୁରୀକାଳୀନ ଉପଯୋଗ ଲାଗି ଆମେ ବାଙ୍ଗଲାଦେଶର ଫାର୍ମା କମ୍ପାନୀଠାରୁ ୫୦ ହଜାର ଶିଶି କିଣିବା ପାଇଁ ଯୋଗାଯୋଗ କରିଛୁ। ମୁଁ କେନ୍ଦ୍ରମନ୍ତ୍ରୀ ଡୀବୀ ସଦାନନ୍ଦ ଗୌଡ଼ାଙ୍କୁ ପତ୍ର ଲେଖି ଏହି ଔଷଧକୁ ଯଥାଶୀଘ୍ର ମଗାଇବା ପାଇଁ ଅନୁମତି ନେଇଛି।
ସୂଚନାଯୋଗ୍ୟ, ରେମଡେସିଭିର ଔଷଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସଫଳ ସାବ୍ୟସ୍ତ ହୋଇଛି। କିନ୍ତୁ ସମଗ୍ର ଦେଶରେ ଏହି ଔଷଧର ଅଭାବ ଦେଖିବାକୁ ମିଳିଛି। ଅଭାବ ଯୋଗୁ ଅନେକ ଜାଗାରେ ଏହାର କଳାବଜାରୀ ହେଉଛି।