ମାଟି ଅତଡ଼ା ଖସି ୩ ମହିଳା ମୃତ

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗି ଥାନା ରେଙ୍ଗା ପଂଚାୟତର ପଡ଼ାଗୁଡ଼ା ଗ୍ରାମରେ ମାଟି ଅତଡ଼ା ଖସି ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାମାନେ ହେଲେ ରାଲେଗାଡ଼ା ପଂଚାୟତ ମିରିଆଲପାଡୁ ଗ୍ରାମର ମୁସୁରି ରାମୁଲୁ ଅମ୍ମା(୪୩), ମୁସୁରି ଦେବୀ (୧୭) ଓ ମୁତୁଲା କୋଟା(୨୭)। ମିଳିଥିବା ରିପୋର୍ଟ ମୁତାବିକ, ଆଜି ପୂର୍ବାହ୍ନରେ ମିରିଆଲପାଡୁ ଗ୍ରାମର ମୁସୁରି ତୁଳସୀ ମୁତୁଲା କୋଟା(୧), ମୁସୁରି ଦେବୀ, ମୁତୁଲା କୋଟା(୨) ପଡାଗୁଡା ଗ୍ରାମକୁ ଘର ଲିପିବା ପାଇଁ ଚୂନମାଟି ଆଣିବାକୁ ଯାଇଥିଲେ। ଖାଲୁଆ ସ୍ଥାନରେ ରହି ମାଟି ଖୋଳୁଥିବା ବେଳେ ଉପରୁ ମାଟି ଅତଡ଼ା ଖସି ସମସ୍ତେ ଚାପି ହୋଇ ଯାଇଥିଲେ। ନିକଟସ୍ଥ ଗ୍ରାମର ଲୋକଙ୍କଠାରୁ ଖବର ପାଇ ପଟ୍ଟାଙ୍ଗୀ ପୁଲିସ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଘଟଣାସ୍ଥଳରେ ଉପରୋକ୍ତ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୁତୁଲା କୋଟା(୨)କୁ ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ରାଲେଗାଡ଼ା ସରପଞ୍ଚ ତ୍ରିନାଥ କୋଟା ମୃତ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି।