ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ମାଲ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗର୍ଭବତୀ କରି ୨୦ ବର୍ଷୀୟ ଯୁବକ ଜଣକ ଗିରଫ ହୋଇଛି। ଗିରଫ ହୋଇଥିବା ଯୁବକ ଜଣକ ମଞ୍ଜୁ ମୁଣ୍ଡା ବୋଲି ଜଣାପଡ଼ିଛି। ମଞ୍ଜୁ ଏହି ନାବାଳିକାକୁ ୬ ମାସ ପୂର୍ବେ ନିଜ ସହ ଆଣିଥିଲା। ସେସମୟରେ ବଡ଼ମାଲ ପୁଲିସ ଚାଇଲ୍ଡଲାଇନ ଜରିଆରେ ଏହି ନାବାଳିକାକୁ ଉଦ୍ଧାର କରିବା ସହ ବୁଝାସୁଝା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ନାବାଳିକା ଘରେ କିଛିଦିନ ରହିବା ପରେ ପୁଣି ମଞ୍ଜୁ ମୁଣ୍ଡା ପାଖକୁ ଫେରି ଆସି ସାଙ୍ଗରେ ରହୁଥିଲା। ତେବେ ଆଜି ଗାଁର ଅଙ୍ଗନବାଡି କର୍ମୀ ନାବାଳିକା ଜଣକ ୫ ମାସର ଗର୍ଭବତୀ ଥିବା ଜାଣି ସିଡ଼ିପିଓଙ୍କୁ ଜଣାଇବା ସହିତ ଚାଇଲ୍ଡଲାଇନକୁ ଖବର ଦେଇଥିଲେ। ଝାରସୁଗୁଡ଼ା ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁପ୍ରଭା ମହାପାତ୍ର ନାବାଳିକାକୁ ଉଦ୍ଧାର କରିବା ସହ ବଡ଼ମାଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଯୁବକକୁ ଗିରଫ କରି ଆଜି କୋର୍ଟ ଚଲାଣ କରିଛି।